ଭୁବନେଶ୍ବର: ଯେଉଁ ସମୟରେ ବିଧାୟକମାନେ ଘରେ ନିଜର ନିତ୍ୟକର୍ମ ସାରି ବିଧାନସଭା ଆସିବାକୁ ପ୍ରସ୍ତୁତ ହୁଅନ୍ତି, ଆଜି ସେହି ସମୟରେ ବିଧାୟକମାନେ ଘରକୁ ‌େଫରିଛନ୍ତି। ରାତି ଅନିଦ୍ରା ହୋଇ ରାଜ୍ୟ ସରକାରଙ୍କ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଯଥା ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୪ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଆଇନ-୨୦୨୫ ପ୍ରସଙ୍ଗରେ ଆଲୋଚନା କରିଥିବା ପ୍ରାୟ ୧୦୦ ଜଣ ବିଧାୟକ ନିଜ ସହ ଏକ ନୂଆ ଏବଂ ସ୍ବତନ୍ତ୍ର ଅନୁଭୂତି ନେଇ ବିଧାନସଭାରୁ ଘରକୁ ଫେରିଛନ୍ତି। 

Advertisment

ଫେବ୍ରୁଆରି ୧୩ରୁ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆଜି ଶେଷ ହୋଇଛି। ଏକାଧିକ କାରଣ ପାଇଁ ଚଳିତ ବିଧାନସଭା ଅଧିବେଶନ ଚର୍ଚ୍ଚାରେ ଥିଲେ ମଧ୍ୟ ଶେଷ ଦିନଟି ଅଧିକ ଚର୍ଚ୍ଚିତ ଥିଲା। ବୁଧବାର ପ୍ରଥମାର୍ଦ୍ଧ ପ୍ରଶ୍ନକାଳ, ଶୂନ୍ୟକାଳ ସୁରୁଖୁରରେ ଚାଲିଥିଲା। ଅପରାହ୍ନ ୪ଟାରେ ଦ୍ବିତୀୟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମେ ସିଏଜି ଅଡିଟ୍ ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହାପରେ ଅପରାହ୍ନ ୪ଟା ୬ରୁ ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ), ୨୦୨୪ ଆଇନ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଏହି ଆଇନଟି ବିଜେଡି ସରକାର ଅମଳରେ ଆସିଥିବା ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ), ୨୦୨୦ ବାଦ୍‌ ଦେଇ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ, ୧୯୮୯ର ସଂଶୋଧିତ ହୋଇଥିବାରୁ ବିଜେଡି ବିଧାୟକମାନେ ଏହାକୁ କଡ଼ା ବିରୋଧ କରିଥିଲେ।

ରାତିତମାମ୍ ଗୃହ ଚାଲିଲା
ଅଧିବେଶନ ଐତିହାସିକ, ସ୍ମରଣୀୟ ହୋଇ ରହିବ
ଗୃହ କାର୍ଯ୍ୟ ୩ ଦିନ ବାକି ଥିଲା

ବିଜେଡି ସରକାର ଅମଳରେ ବିଶ୍ବବିଦ୍ୟାଳୟ ଆଇନରେ ସଂସ୍କାର ଅଣାଯାଇଥିବାବେଳେ ଏହାକୁ ସରକାର ଲାଗୁ ନ କରି କାହିଁକି ପୁଣି ସଂଶୋଧିତ ଆଇନ ଆଣୁଛନ୍ତି ବୋଲି ବିଜେଡି ବିଧାୟକମାନେ ଯୁକ୍ତି ବାଢ଼ିଥିଲେ। ବିରୋଧୀ ଦଳ ପକ୍ଷରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ, ଗଣେଶ୍ବର ବେହେରା, ଧ୍ରୁବଚରଣ ସାହୁ ଏହି ନୂଆ ସଂଶୋଧିତ ଆଇନର ବିଭିନ୍ନ ଧାରା ଉପରେ ସରକାରଙ୍କୁ ଘେରିଥିଲେ। ସରକାରୀ ଦଳ ପକ୍ଷରୁ ଏକାଧିକ ବିଧାୟକ, ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଏହା ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢ଼ିଥିଲେ। ଦୀର୍ଘ ୧୨ ଘଣ୍ଟା ୨୪ ମିନିଟ୍‌ କାଳ ଘମାଘୋଟ ଆଲୋଚନା ପରେ ବିଲ୍‌ଟି ପାରିତ ହୋଇଥିଲା। ଯାହା ବିଧାନସଭା ଇତିହାସରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିନଥିଲା। ଏହି ବିଲ୍‌ ଉପରେ ୨ ଘଣ୍ଟା ୩୦ ମିନିଟ୍‌ ଆଲୋଚନା ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲେ ହେଁ ବିରୋଧୀ ଦଳର କଡ଼ା ଆଭିମୁଖ୍ୟ ଯୋଗୁ ଏହା ଉପରେ ୧୨ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିଲା। ଏହା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଆଇନ, ୨୦୨୫ ଆଇନ ଆଣିଥିଲେ। ଏହାକୁ ବି ବିରୋଧୀ କଡ଼ା ବିରୋଧ କରିଥିଲେ। ଶେଷରେ ଦୁଇ ଘଣ୍ଟାର ଆଲୋଚନା ପରେ ସକାଳ ୬ଟା ୩୦ରେ ଏହି ବିଲ୍‌ଟି ପାରିତ ହୋଇଥିଲା।

ବିଧାନସଭାର କାର୍ଯ୍ୟ ରାତି ୯ଟା ପର୍ଯ୍ୟନ୍ତ ଚାଲିବାର ନିୟମ କରାଯାଇଥିବାରୁ ସରକାରୀ ମୁଖ୍ୟ ସଚେତକ ମୋସନ୍ ଆଣି ଏହାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଢ଼ାଇଥିଲେ। ସେହିପରି ଫେବ୍ରୁଆରି ୧୩ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ପ୍ରଥମ ପର୍ଯ୍ୟାୟ ସୁରୁଖୁରରେ ଚାଲିଥିଲା। କିନ୍ତୁ ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଅଧିବେଶନରେ କଂଗ୍ରେସ ବିଧାୟକମାନେ ରାଜ୍ୟରେ ବଢ଼ୁଥିବା ମହିଳା ନିର୍ଯାତନା, ମହିଳାଙ୍କୁ ନ୍ୟାୟ ପ୍ରସଙ୍ଗରେ ଗୃହ କମିଟି ଗଠନ କରିବା ଦାବିରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ଫଳରେ ସବୁ ସଦସ୍ୟଙ୍କୁ ନିଲମ୍ବିତ କରାଗଲା। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି, ଓଡ଼ିଶା ବିନିଯୋଗ ‌ବିଲ୍‌ କଂଗ୍ରେସ ଦଳର ଅନୁପସ୍ଥିତିରେ ପାରିତ ହେଲା। ଏହି ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ, ଏହା ଉପରେ ଧନ୍ୟବାଦ ଆଲୋଚନା, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା। ଏହାସହ ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଆଇନ୍, ୨୦୨୪ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଆଇନ,୨୦୨୫ ଆଲୋଚନା ହେବା ସହ ପାରିତ ହୋଇଥିଲା। ଶେଷରେ ବାଚସ୍ପତି ବିଧାନସଭାର ସମସ୍ତ ଗୃହ କମିଟି, ସ୍ଥାୟୀ କମିଟି ଓ ଅନ୍ୟାନ୍ୟ କମିଟି ଘୋଷଣା କରିଥିଲେ।

ବୁଧବାର ରାତିତମାମ୍ ବିଧାନସଭା ଚାଲିବା ପରେ ଆଜି ସକାଳୁ ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ଆଗତ କରିଥିଲେ ଯେ ମୋଟ୍ ୨୮ଟି ଦିବସରୁ ୨୫ଦିନ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଉ ୩ଦିନ ଥିଲେ ହେଁ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଉ। ଏହାକୁ ବିଧାୟକ ରୁପୁ ଭତ୍ରା, ଶତ୍ରୁଘ୍ନ ଜେନା ସମର୍ଥନ କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଥିଲେ। ଗୃହ କାର୍ଯ୍ୟ ଚଳାଇବାରେ ସମସ୍ତଙ୍କ ସହଯୋଗ ପାଇଁ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅଧିବେଶନଟି ଐତିହାସିକ ଓ ସ୍ମରଣୀୟ ହୋଇ ରହିବ ବୋଲି ସମସ୍ତେ କହିଥିଲେ।