ସରିଲା ବିଧାନସଭା ଅଧିବେଶନ, ଆଉ ୩ ଦିନ ବାକି ଥିଲା

ଭୁବନେଶ୍ବର : ବିଧାନସଭାର ବଜେଟ୍‌ ଅଧିବେଶନ ସୋମବାର ଦିନ ଶେଷ ହୋଇଛି। ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆସନ୍ତା ୪ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଗୃହରେ ଆଉ କୌଣସି କାର୍ଯ୍ୟ ନ ଥିବାରୁ ତିନି ଦିନ ଆଗରୁ ଅଧିବେଶନକୁ ଶେଷ କରିଦିଆଗଲା।

ସୋମବାର ସନ୍ଧ୍ୟାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭା ଅଧିବେଶନ ଆଗୁଆ ଶେଷ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଶାସକ ଦଳ ସଭ୍ୟ ଅମର ଶତପଥୀ ଓ ଶଶୀଭୂଷଣ ବେହେରା ଏହାକୁ ସମର୍ଥନ କରିଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ସାମିଲ ହୋଇ ସବୁ ବିଧାୟକ ତଥା ଏହି ଅଧିବେଶନରେ ସହଯୋଗ କରିଥିବା ପ୍ରତିଟି ବ୍ୟକ୍ତିବିଶେଷ ଓ ସଂସ୍ଥାକୁ ଧନ୍ୟବାଦ ଜଣାଇଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜ ନିଜ ବକ୍ତବ୍ୟ ରଖିବା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ତାହା ପରେ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଦଶମ ବିଧାନସଭାର ଏହି ଷୋଡ଼ଶ ଅଧିବେଶନକୁ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରିଚାଳନା କରିଥିଲେ। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଜୁଲାଇ ୨ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହୋଇଥିଲା। ଅଧିବେଶନର ପ୍ରଥମ ପର୍ଯ୍ୟାୟ ୬ ତାରିଖ ଯାଏ ହୋଇଥିଲା ‌ବେଳେ ଦ୍ବିତୀୟ ପର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଅଧିବେଶନରେ ମୋଟ୍‌ ୨୧ଟି କାର୍ଯ୍ୟଦିବସ ରହିଥିଲା। ୧୧ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ବେଳେ ୮ଟି ବିଲ୍‌ ପାରିତ ହୋଇଥିଲା। ଜୁନ୍ ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହୋଇଥିଲା। ୭ଟି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମନ୍ତ୍ରୀମାନେ ବିବୃତି ରଖିଥିଲେ। ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ପରେ ପାରିତ ହୋଇଥିଲା ବେଳେ ଅନ୍ୟ ବିଭାଗଗୁଡ଼ିକର ଖର୍ଚ୍ଚଦାନି ଗିଲୋଟିନ୍ ମାଧ୍ୟମରେ ପାରିତ ହୋଇଥିଲା। ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ଏହି ଅଧିବେଶନରେ ପାରିତ ହୋଇଥିଲା। ଶେଷ ଦିନରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଅଧିବେଶନର ଶେଷ ଦିବସ‌ରେ ଆଜି ନୂଆ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ର ଦାୟିତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର