ଭୁବନେଶ୍ବର: ସୋମବାର ଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ ମୁଖ୍ୟ ବିରୋଧୀ ଦଳ ବିଜେଡି ଜୋରଦାର୍ ପ୍ରସ୍ତୁତି ଚଳାଇଛି। ଉପନେତା, ବିରୋଧୀ ଦଳ ମୁଖ୍ୟସଚେତକ ଏବଂ ଉପ ମୁଖ୍ୟସଚେତକ ଚୟନ କରିସାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାୟକ ଦଳ ବୈଠକ କରି ସରକାରଙ୍କୁ ଘେରିବାକୁ ସମସ୍ତ ରଣନୀତି ପ୍ରସ୍ତୁତ ହୋଇଛି। ହେଲେ ଶାସକ ଦଳ ବିଜେପି କି ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ପ୍ରସ୍ତୁତି ସେଭଳି ନାହିଁ।
ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତି ଗୃହ ଚଳାଇବେ। ହେଲେ ଶାସକ ଦଳ ଏପର୍ଯ୍ୟନ୍ତ ଉପବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିନି। ବିଧାନସଭା ଅଧିବେଶନ ବସିଲେ ଶାସକ ଦଳ ମୁଖ୍ୟ ସଚେତକଙ୍କ ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ। ହେଲେ ବିଜେପି ଏପର୍ଯ୍ୟନ୍ତ କାହାକୁ ଏ ଦାୟିତ୍ବ ଦେବ, ସେ ନେଇ ବି ମୁହଁ ଖୋଲିନାହିଁ। ଉପମୁଖ୍ୟସଚେତକ ନିଯୁକ୍ତି ବି ସେୟା। ସେପଟେ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏପର୍ଯ୍ୟନ୍ତ ବିଧାୟକ ଦଳ ନେତା ବାଛିପାରୁନି। ଏଣୁ ବୈଠକ ବସିପାରୁନି। କାହା ନେତୃତ୍ବରେ କେଉଁ ରଣନୀତିରେ କଂଗ୍ରେସ ବିଧାନସଭାରେ ସ୍ବର ଉଠାଇବ ତାହା ଦଳ ଏପର୍ଯ୍ୟନ୍ତ ସ୍ଥିର କରିପାରୁନି। ଆସନ୍ତା ୨୩ତାରିଖରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କିତ ତାରିଖ ଘୋଷଣା ହେବାକୁ ଥିବାବେଳେ ୨୪ତାରିଖରେ ଏନେଇ ନିର୍ବାଚନ ହେବ ଏବଂ ଗୃହରେ ଉପବାଚସ୍ପତିଙ୍କ ନାମ ଘୋଷଣା ହେବ। ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଉପବାଚସ୍ପତି ପଦ ହାତେଇବା ଥୟ ହୋଇଥିଲେ ହେଁ ଦଳ ଆଗୁଆ କାହିଁକି ନାମ ଘୋଷଣା କରିନି, ତାହା ବୁଝାପଡ଼ୁନି।
ପ୍ରସ୍ତୁତିରେ ବିରୋଧୀ ବିଜେଡି ଆଗରେ
କଂଗ୍ରେସ ବିଧାୟକ ଦଳ ନେତା ବଛା ହୋଇପାରୁନି
ଆଜି ସର୍ବଦଳୀୟ ବୈଠକ
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ପୁରୀରେ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳର ପ୍ରଭାରୀ, ସହପ୍ରଭାରୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ବସି ଉପବାଚସ୍ପତି, ମୁଖ୍ୟ ସଚେତକ ଏବଂ ଉପମୁଖ୍ୟସେଚତକଙ୍କ ନାମ ଉପରେ ଆଲୋଚନା କରିଛନ୍ତି। ଏଥିରେ ଉପବାଚସ୍ପତି ପଦ ପାଇଁ ଲକ୍ଷ୍ମଣ ବାଗ, ଭାସ୍କର ମଢ଼େଇ ଏବଂ ସନାତନ ବିଜୁଳିଙ୍କ ନାମ ଉପରେ ଆଲୋଚନା ହୋଇଛି। ସେହିପରି ମୁଖ୍ୟ ସଚେତକ ଓ ଉପମୁଖ୍ୟସଚେତକ ପଦ ପାଇଁ ଟଙ୍କଧର ତ୍ରିପାଠୀ, ବାବୁ ସିଂହଙ୍କ ନାମ ଉପରେ ଆଲୋଚନା ହୋଇଛି। ବୈଠକରେ ନାମ ପ୍ରାୟ ଚୂଡ଼ାନ୍ତ ହୋଇଥିବାବେଳେ ଆସନ୍ତାକାଲି ବସିବାକୁ ଥିବା ବିଜେପି ବିଧାୟକ ଦଳ ବୈଠକରେ ଏହା ଘୋଷଣା ହେବ। ଏହାପରେ ସମସ୍ତ ବିଧାୟକ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ଯିବେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନେଇ ତାରାପ୍ରସାଦ ବାହିନୀପତି ଏବଂ ରାମଚନ୍ଦ୍ର କାଡ଼ାମଙ୍କ ନାମ ଉପରେ ଆଲୋଚନା ହେଉଥିବାବେଳେ ହାଇକମାଣ୍ଡ କାହା ନାମରେ ମୋହର ମାରୁଛନ୍ତି ତାକୁ ଦଳ ଅପେକ୍ଷା କରିଛି। ଦଳୀୟ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା ହେବ।