ଆଜିଠୁ ବିଧାନସଭା: ଏଥରକ ହେବ ପ୍ରଶ୍ନକାଳ, ସୁରୁଖୁରୁରେ ଗୃହ କାର୍ଯ୍ୟ ପାଇଁ ସର୍ବଦଳୀୟ ବୈଠକ

ଆଜି ଅଭିଭାଷଣ ଦେବେ ରାଜ୍ୟପାଳ

ଭୁବନେଶ୍ବର: ଆସନ୍ତାକାଲି ଗୁରୁବାର ଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍‌ ଅଧିବେଶନ। ଏହାର ଅବ୍ୟବହିତ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନ କାଳରେ ଗୃହ କାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ଶ୍ରୀ ପାତ୍ର ସବୁ ଦଳର ସହଯୋଗ ଲୋଡ଼ିଛନ୍ତି। ଗତବର୍ଷ କୋଭିଡ୍‌ ମହାମାରୀ ଯୋଗୁଁ ମୌସୁମୀ ଓ ଶୀତ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା। କିନ୍ତୁ ଏଥର ଏହି ଅଧିବେଶନରେ ପ୍ରଶ୍ନକାଳ ଚାଲିବ। ଏ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହିତ କେତୋଟି ଦିନକୁ ଛାଡ଼ିଦେଲେ ଅନ୍ୟ ଦିନଗୁଡ଼ିକରେ ଗୃହ କାର୍ଯ୍ୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ବୈଠକରୁ ଜଣାପଡ଼ିଛି ଯେ ଗୁରୁବାର ବିଧାନସଭା ବଜେଟ୍‌ ଅଧିବେଶନ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୧୮, ୧୯ ଓ ୨୦ ତାରିଖ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ୨୨ ତାରିଖରେ ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରିବେ। ୨୫, ୨୬ ଓ ୨୭ ତାରିଖରେ ବଜେଟ୍‌ ଉପରେ ସାଧାରଣ ଆଲୋଚନା ଦିନ ଗୃହ କାର୍ଯ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବା ବୋଲି ସ୍ଥିର ହୋଇଛି। ଏହାସହିତ ଗୃହ ବିଭାଗ ଖର୍ଚ୍ଚ ଦାବି ଓ ମାର୍ଚ୍ଚ ୩୧ ତାରିଖରେ ୨୦୨୧-୨୧ ଆର୍ଥିକ ବର୍ଷ ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନା ଦିନ ବି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଧାନସଭା ଚାଲିବ। ସାମ୍ବାଦିକମାନଙ୍କୁ ବିଧାନସଭା ହଲ୍‌ ଭିତରେ ବସିବାକୁ ଅନୁମତି ଦେବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବୈଠକରେ ଦାବି କରିଥିଲେ। କିନ୍ତୁ ସାମାଜିକ ଦୂରତା ରକ୍ଷା କରିବାରେ ବାଧା ଉପୁଜିବ ବୋଲି ବାଚସ୍ପତି ଓ ସରକାର ଦର୍ଶାଇ ଶ୍ରୀ ମିଶ୍ରଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ।

ଅନ୍ୟ ନିଷ୍ପତ୍ତି ଅନୁଯାୟୀ, କେବଳ ୧୮ ତାରିଖକୁ ଛାଡ଼ିଦେଲେ ବାକି ଅନ୍ୟଦିନ ଗୁଡ଼ିକରେ ବିଧାନସଭା ସକାଳ ୧୦ଟା ୩୦ରେ ଆରମ୍ଭ ହେବ। ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପ୍ରଶ୍ନକାଳ, ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶୂନ୍ୟକାଳ, ଦିନ ୧୨ଟାରୁ ଅପରାହ୍ନ ୧ଟା ୩୦ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ। ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପାଇଁ ଗୃହ ମୁଲତବୀ ରହିବ।
ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର