୧୬ରୁ ବିଧାନସଭା, ମୁକାବିଲା ପାଇଁ ସଜବାଜ

୧୫ରେ ବିଜେଡି, କଂଗ୍ରେସ ବିଧାୟକ ଦଳ ବୈଠକ, ୧୬ରେ ରଣନୀତି କରିବେ ବିଜେପି ବିଧାୟକ

ଭୁବନେଶ୍ବର: ଓଡ଼ିଶା‌ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୧୫ ଯାଏ ହେବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୩ଟି କାର୍ଯ୍ୟଦିବସ ରହିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଲମ୍ବା ଅଧିବେଶନ ହୋଇଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହାକୁ ଗୁରୁତ୍ବ ଦିଆଯାଉଛି। ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ବିରୋଧୀ ଦଳଗୁଡ଼ିକ ହାତରେ ଯଥେଷ୍ଟ ପ୍ରସଙ୍ଗ ରହିଛି। ସେହିପରି କେନ୍ଦ୍ର ବିରୋଧରେ ହୁଙ୍କାର ଦେବାକୁ ଶାସକ ଦଳ ହାତରେ ବି ପ୍ରସଙ୍ଗ ରହିଛି। ଆସନ୍ତା ୧୫ ତାରିଖ ସନ୍ଧ୍ୟାରେ ବିଜେଡିର ବିଧାୟକ ଦଳ ବୈଠକ ଡକାଯାଇଛି। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଦଳର ସବୁ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିବେଶନ ସମୟରେ ବିରୋଧୀ ଉଠାଉଥିବା ସବୁ ପ୍ରସଙ୍ଗରେ କଡ଼ା ଜବାବ ଦେବାକୁ ଦଳ ସ୍ଥିର କରିଛି। ଯେହେତୁ ଆଗକୁ ନିର୍ବାଚନ ଅଛି, ତେଣୁ ଶାସକ ଦଳ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିବ। କେନ୍ଦ୍ର ବିରୋଧରେ ଏକାଧିକ ପ୍ରସଙ୍ଗ ଉଠାଇ ଗୃହରେ ଶାସକ ଦଳ ବିଧାୟକମାନେ ଦବ୍‌ଦବା ଜାହିର କରିବାକୁ ରଣନୀତି ପ୍ରସ୍ତୁତ ହେବ। କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ୧୫ ତାରିଖରେ ବସିବ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସମସ୍ତ ସାମ୍ପ୍ରତିକ ପ୍ରସଙ୍ଗକୁ କଂଗ୍ରେସ ଗୃହରେ ଉଠାଇବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯିବ, ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ। ବିଜେପି ବିଧାୟକ ଦଳ ବୈଠକ ଅଧିବେଶନର ପ୍ରଥମ ଦିନ ଅର୍ଥାତ ୧୬ ତାରିଖ ସକାଳେ ବସିବ। ଯେହେତୁ ଛତିଶଗଡ଼ ନିର୍ବାଚନ ପାଇଁ ବିଜେପି ନେତାମାନେ ବ୍ୟସ୍ତ ଅଛନ୍ତି, ତେଣୁ ଆଗୁଆ ବୈଠକ ହୋଇପାରୁ ନାହିଁ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି। ତେବେ ବିଜେପି ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜୋର୍‌ଦାର୍ ବିରୋଧ କରାଯିବ। ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେଉ ନ ଥିବାରୁ ସାଧାରଣ ଜନତା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ଦୁଃଖ ଶୁଣୁ ନାହାନ୍ତି। ସେହିପରି ଧାନର ଅଭାବୀ ବିକ୍ରି, ମଣ୍ଡି ନ ଖୋଲାଯିବ, ବ୍ୟାପକ ପିସି କାରବାର, ଶିକ୍ଷକମାନଙ୍କ ସମସ୍ୟା ସମାଧାନ ନ ହେବା ଆଦି ପ୍ରସଙ୍ଗ ବିଜେପି ଗୃହରେ ଉଠାଇବ ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ସମ୍ବନ୍ଧିତ ଖବର