ବାଲେଶ୍ବର: ବାଲେଶ୍ବର ଜିଲ୍ଲାରୁ ଅନେକ ରାଜନେତା ଛାତ୍ର ଜୀବନରୁ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ସ୍ବର୍ଗତ ଅରୁଣ ଦେ। ସେ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ।ସେ ଫକୀରମୋହନ ମହାବିଦ୍ୟାଳୟର ଛାତ୍ର ସଂସଦ ସମ୍ପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ନାମ ଲେଖାଇବା ସହ ସେଠାରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ଲଢ଼ି ସଭାପତି ନିର୍ବାଚିତ ହୋଇଥିଲେ।

Advertisment

୧୯୭୦ ମସିହାରେ ଶ୍ରୀ ଦେ ଏଲ୍‌ଏଲ୍‌ବି ପାସ୍‌ କରି ସିଧା ଓହ୍ଲାଇଥିଲେ ସକ୍ରିୟ ରାଜନୀତିକୁ। ୧୯୭୧ ମସିହାରେ ସିପିଆଇ ଟିକେଟ୍‌ରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ବେଳେ ୧୯୭୪, ୧୯୮୦, ୧୯୯୦ ମସିହାରେ ପୁଣି ସିପିଆଇ ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଧାୟକ ଭାବେ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ଲୋକଙ୍କ ସେବା କରିବାର ସୁଯୋଗ ପାଇଥିଲେ। ସେହିପରି ୧୯୯୫ ମସିହାରେ ସ୍ବାଧୀନ ଭାବେ ଏବଂ ୨୦୦୪ ମସିହାରେ ଓଜିପି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ବିପୁଳ ଭୋଟ୍‌ ପାଇବା ସହ ସଦର ବିଧାୟକ ବନିଥିଲେ। ତେବେ ୨୦୧୪ ମସିହାରେ କଂଗ୍ରେସ ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ବେଳେ ଶ୍ରୀ ଦେଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ୨୦୧୯ ମସିହାରେ ସେ ବିଜେଡିରେ ଯୋଗ​ଦେଇଥିଲେ। ଜଣେ ନିର୍ଭୀକ ଓ ପ୍ରଭାବୀ ବିଧାୟକ ଭାବେ ରାଜ୍ୟରେ ଶ୍ରୀ ଦେଙ୍କ ସ୍ବତନ୍ତ୍ର ପରିଚୟ ଥିଲା। ଗୋଟିଏ ଗୋଟିଏ ପ୍ରସଙ୍ଗରେ ସେ ବିଧାନସଭାକୁ ସରଗରମ କରିଦେଉଥିଲେ। ସ୍ବର୍ଗତ ଦେ କେବଳ ଜଣେ ସଫଳ ରାଜନେତା ଥିଲେ, ତାହା ନୁହେଁ; ସେ ଅନେକ ନେତା ମଧ୍ୟ ତିଆରି କରିଥିଲେ। ଶ୍ରୀ ଦେ ଫକୀରମୋହନ କଲେଜରେ ପଢ଼ୁଥିବା ଅନେକଙ୍କୁ ଛାତ୍ରନେତା ଭାବେ ଗଢ଼ିଥିଲେ। ଯେଉଁମାନଙ୍କ ମଧ୍ୟରୁ ଏକାଧିକ ସକ୍ରିୟ ରାଜନୀତିରେ ସଫଳ ହୋଇଛନ୍ତି।