ଭୁବନେଶ୍ୱର: କରୋନା ପାଇଁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଏନେଇ ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ କରୋନାକୁ ଘୋଷଣା କରାଯାଇଥିବା ହେତୁ ମାର୍ଚ୍ଚ ୩୦ ଯାଏଁ ବିଧାନସଭା ସ୍ଥଗିତ ରଖିବାକୁ ମୁଖ୍ୟ ସଚେତକ ଗୃହରେ ପ୍ରସ୍ତାବ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟ ସଚେତକଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ ହେଲେ, ଏହାକୁ ବିରୋଧ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏହାପରେ ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଥିଲା। ସୂଚନାଯୋଗ୍ୟ, ଚଳିତ ବଜେଟ ଅଧିବେଶନ ଏପ୍ରିଲ ୯ ଯାଏଁ ଚାଲିବାକୁ ଧାର୍ଯ୍ୟ ହୋଇଛି।
ଏଣେ କରୋନା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ | ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି| କରୋନା ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ଦେଇ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି|
ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କରୋନାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜକୁ କ୍ୟାବିନେଟର ମଞ୍ଜୁରି ମିଳିଛି। କରୋନାକୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତ୍ତି ହୋଇଛି।