ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ବିଧାନସଭାରେ ଆଚରଣ ଓ ଉଚ୍ଚାରଣ ସମାନ ଥିଲା। ଶାସକ ଦଳର ଭାଷା ଓ ବିରୋଧୀ ଦଳର ଭାଷା ଆଦୌ ବଦଳି ନଥିଲା। ଗୃହରେ ହୋହଲ୍ଲା, ପ୍ରତିବାଦ, କକ୍ଷତ୍ୟାଗ ସବୁ ଚିରାଚରିତ ଥିଲା। କେବଳ ବଦଳିଥିଲା ଆସନ। ବିଜେପି ବିଧାୟକ ବସିଥିଲେ ଶାସକ ଆସନରେ ଏବଂ ବିଜେଡି ବିଧାୟକ ଯାଇଥିଲେ ବିରୋଧୀ ପଟକୁ। କଂଗ୍ରେସ ଯେମିତି ଥିଲା ସେମିତି। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଚିତ୍ର ମୋଟାମୋଟି ଏମିତି ଥିଲା। ଅନୁଭବ ହେଉଥିଲା, ଯିଏ ଶାସନକୁ ଆସୁ କି ଯିଏ ବିରୋଧୀ ଦଳରେ ରହୁ, ଏମିତି ଧାରା ହିଁ ଚାଲିବ।
ବିଧାନସଭା ଅଧିବେଶନର ପ୍ରଥମ ତିନି ଦିନ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଶାସକ ଦଳ ବିଜେପିର ଅଭିଯୋଗ ଥିଲା, ‘ଗୃହ କାର୍ଯ୍ୟରେ ବିରୋଧୀ ଦଳ ସହଯୋଗ କରୁନାହାନ୍ତି। ସେମାନେ ଗୃହକୁ ଚଳାଇଦେବାକୁ ଚାହୁନାହାନ୍ତି।’ ବିରୋଧୀ ଦଳ ବିଜେଡିର ପାଲଟା ଅଭିଯୋଗ ଥିଲା, ‘ସରକାର ଗୃହରେ ଆଲୋଚନା ଚାହୁନାହାନ୍ତି। ସେଥି ପାଇଁ ଶାସକ ଦଳ ଗୃହ ଚଳାଇ ଦେଉନି।’ ଶାସକ ଓ ବିରୋଧୀଙ୍କ ଅଭିଯୋଗ ପୂର୍ବ ସରକାରରେ ମଧ୍ୟ ସମାନ ଥିଲା। ସେତେବେଳେ ବିଜେପି ସଭ୍ୟମାନେ ଯେମିତି ଆଚରଣ କରୁଥିଲେ ଏବେ ବିଜେଡି ବିଧାୟକ ବିରୋଧୀ ଦଳରେ ବସି ସେହି ଆଚରଣକୁ ଆପଣାଇଛନ୍ତି। ଆଉ ସେତେବେଳର ଶାସକ ଦଳ ବିଜେଡିର ଯେଉଁ ଭାଷା ଥିଲା ବର୍ତ୍ତମାନର ଶାସକ ଦଳ ବିଜେପିର ସେହି ଭାଷା ରହିଛି।
ଏଥର ବିଧାନସଭାରେ ଦୁଇଟି ପ୍ରସଙ୍ଗ ଗୃହକୁ ହଲ୍ଚଲ୍ କରିଦେଇଥିଲା। ଏଏସ୍ଓଙ୍କୁ ମାଡ଼ ମାରିଥିବା ରାଜ୍ୟପାଳଙ୍କ ପୁଅ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ଦାବି କରିଥିଲେ। ପ୍ରଥମ ଦିନ ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇ ନିଜ ବିଧାୟକମାନଙ୍କ ସହ କକ୍ଷତ୍ୟାଗ କରି ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କଲେ। ତିନି ଦିନ ଯାଏ ବିଜେଡି ଏହାକୁ ଗଣ୍ଠି କରି ରହିଲା। କିନ୍ତୁ ହଠାତ କ’ଣ ଘଟିଲା ଯେ ଏହି ପ୍ରସଙ୍ଗ ଆଉ ଦଳ ଉଠାଇଲାନି। ନା ଗୃହ ଭିତରେ ନା ବାହାରେ। ସାଧାରଣ ଜନତା ଅନ୍ଧାରରେ ରହିଗଲେ। ଏଏସ୍ଓଙ୍କୁ କ’ଣ ନ୍ୟାୟ ମିଳିଲା ଓ ରାଜ୍ୟପାଳଙ୍କ ପୁଅ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ତାହା କେହି ଜାଣିପାରିଲେନି। ପ୍ରସଙ୍ଗଟି ସମ୍ପୂର୍ଣ୍ଣ ଭାବେ ଉଡ଼ିଗଲା।
ସେତେବେଳେ ବିଜେଡି ଯାହା କହୁଥିଲା, ଏବେ ବିଜେପି କହୁଛି
ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଡ଼ିଗଲା
ଅଲୋଡ଼ା ପରମ୍ପରା ସୃଷ୍ଟି କଲା ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି
ସେମିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଥିଲା କଂଗ୍ରେସ। ଉଭୟ କଂଗ୍ରେସ ଓ ବିଜେଡି ଜୋର୍ଦାର ସମାଲୋଚନା କରିଥିଲେ। ଅଧିବେଶନ ଚାଲିଥିଲା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଗୃହ ବାହାରେ ଅଗ୍ନିବୀରଙ୍କ ସଂରକ୍ଷଣ କଥା ଘୋଷଣା କଲେ ବୋଲି ଗର୍ଜନ ତର୍ଜନ କଲେ। ସ୍ବାଧିକାର କମିଟିକୁ ଏହି ନୋଟିସ୍ ପଠାଇବା ପାଇଁ କଂଗ୍ରେସ ଅଡ଼ି ବସିଲା। ଦିନତମାମ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଲା। କିନ୍ତୁ ଏହି ପ୍ରସଙ୍ଗଟି କେତେ ବାଟ ଗଲା, ତାହା ଜଣାପଡ଼ିଲାନି। ପରଦିନ ଠାରୁ ଗୃହରେ ଏ କଥା ଉଠିଲା ନାହିଁ।
ଯେତେବେଳେ ବିଜେଡି ଶାସନରେ ଥିଲା, ଏମିତି ଅନେକ ପ୍ରସଙ୍ଗ ବିଜେପି ଉଠାଇଥିଲା। ଗୃହକୁ ହୁଲସ୍ତୁଲ କରି ଅଚଳ କରିଦେଉଥିଲା। କିନ୍ତୁ ହଠାତ ପ୍ରସଙ୍ଗଟି କୁଆଡ଼େ ଉଭେଇ ଯାଉଥିଲା। ପଚାରିଲେ କେହି ଉତ୍ତର ଦେଉ ନଥିଲେ। ଏବେ ସେହି ଢାଞ୍ଚା ଜାରି ରହିଛି।
ମୁଲତବୀ ଆଲୋଚନା ତରିକା ବି ଆହୁରି ରୋଚକ। ବିଜେଡି ଶାସନ କରୁଥିଲା ବେଳେ ବିରୋଧୀଙ୍କ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଉଥିଲେ ମନ୍ତ୍ରୀମାନେ। ଏବେ ସମାନ ବାଟରେ ଚାଲିଛନ୍ତି ବିଜେପି ସରକାରର ମନ୍ତ୍ରୀମାନେ। ରଥଯାତ୍ରା ବିଭ୍ରାଟକୁ ଆଇନ ମନ୍ତ୍ରୀ ଠୋ ଠା ଏଡ଼ାଇ ଦେଇଥିଲା ବେଳେ ଦରଦାମ ବୃଦ୍ଧିକୁ ପୂରା ଫାଙ୍କି ଦେଇଥିଲେ ଯୋଗାଣ ମନ୍ତ୍ରୀ। ବିଜେଡି ସରକାର ବେଳେ ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଦଳ ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କରୁଥିଲେ। ସେତେବେଳେ ମନ୍ତ୍ରୀମାନେ କହୁଥିଲେ, ‘ଉତ୍ତର ଶୁଣିବାକୁ ଆପଣମାନଙ୍କର ଧୈର୍ଯ୍ୟ ନାହିଁ। ଖାଲି ଅଭିଯୋଗ କରିଦେଲେ ହେବ ନାହିଁ।’ ସମାନ ସଂଳାପ ଏବେ ବିଜେପି ମନ୍ତ୍ରୀମାନଙ୍କ ମୁହଁରେ ଶୁଣିବାକୁ ମିଳୁଛି।
ସେତେବେଳେ ବିରୋଧୀ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିଲେ କିମ୍ବା ମାଇକ ଭାଙ୍ଗିଲେ ଶାସକ ବିଜେଡି ସଭ୍ୟମାନେ ତାହାକୁ ବିଶୃଙ୍ଖଳିତ ଆଚରଣ କହୁଥିଲେ। ଏବେ ବିରୋଧୀ ଆସନରେ ବସିଥିବା ବିଜେଡି ବିଧାୟକମାନେ ବି ବାଚସ୍ପତିଙ୍କ ମାଇକ ଭାଙ୍ଗୁଛନ୍ତି। ଆଉ ଶାସକ ବିଜେପି ସଭ୍ୟମାନେ ତାହାକୁ ବିଶୃଙ୍ଖଳିତ ଆଚରଣ ବୋଲି କହୁଛନ୍ତି।
ବିଧାନସଭା ଅଧିବେଶନରେ ଆଉ ଏକ ବିଲକ୍ଷଣ ଦେଖିବାକୁ ମିଳୁଛି। ସାଧାରଣତଃ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ନେତା ଅଧିକ ସମୟ ଗୃହରେ ଉପସ୍ଥିତ ରହି ସରକାରଙ୍କୁ ଅଡ଼ୁଆରେ ପକାନ୍ତି। ଆଉ ଶୂନ୍ୟକାଳରେ ବିରୋଧୀ ଦଳ ନେତାଙ୍କୁ ପ୍ରଥମେ ବାଚସ୍ପତି ଡାକନ୍ତି। ସାରା ରାଜ୍ୟ ଅପେକ୍ଷା କରିଥାଏ, ବିରୋଧୀ ଦଳ ନେତା କେଉଁ ପ୍ରସଙ୍ଗ ଉଠାଉଛନ୍ତି। କିନ୍ତୁ ଏଥର ବ୍ୟତିକ୍ରମ ଘଟୁଛି। କାରଣ ବିରୋଧୀ ଦଳ ନେତା ଗୃହରେ ଉପସ୍ଥିତ ରହୁନାହାନ୍ତି। କେବଳ ନିଜର ଯେତେବେଳେ କହିବାର ଅଛି, ସେତେବେଳେ ଆସୁଛନ୍ତି। କହି ସାରିଲା ପରେ ଚାଲିଯାଉଛନ୍ତି। ଶ୍ରୀ ପଟ୍ଟନାୟକ ଶୂନ୍ୟକାଳରେ ଆଦୌ ରହିନାହାନ୍ତି କି କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ନାହାନ୍ତି। ଏପରିକି ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ବହୁ ସମୟରେ ଅନୁପସ୍ଥିତ ରହିବାର ଦେଖିବାକୁ ମିଳୁଛି।