ଆରମ୍ଭରୁ କମ୍ପିବ ବିଧାନସଭା: ସ୍ମିତାରାଣୀ, ଚାଷୀ, ଆଇନଶୃଙ୍ଖଳା ପ୍ରସଙ୍ଗରେ ଘେରିବେ ବିରୋଧୀ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପ୍ରଥମ ଦିନରେ ଆସନ୍ତାକାଲି ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିବେ। ଅନ୍ୟପକ୍ଷରେ ରାଜ୍ୟରେ ନିକଟ ଅତୀତରେ ଘଟିଥିବା ଅନେକ ପ୍ରସଙ୍ଗକୁ ବିଧାନସଭା ସାମ୍ନାକୁ ଆଣିବା ଲାଗି ବିରୋଧୀ ଶିବିରରେ କସରତ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ତିନି ବିଧାୟକ ଦଳ ବୈଠକ ରଣନୀତିରେ ଚୂଡାନ୍ତ ସ୍ପର୍ଶ ଦେଇପାରନ୍ତି। ପୂର୍ବାହ୍ନ ୧୦ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ସେହିପରି ବିଜେପି ଓ କଂଗ୍ରେସ ବିଧାୟକମାନେ ଏକାଠି ହୋଇପାରନ୍ତି। ତେବେ ପ୍ରଥମ ଦିନରୁ ଗୃହରେ ସରକାରଙ୍କୁ ଘେରିବା ଲାଗି ଆପାତତଃ ପ୍ରସ୍ତୁତି ହୋଇଛି। ଅର୍ଥାତ୍ ପ୍ରଥମ ଦିନରୁ ହିଁ ଗୃହ କମ୍ପିବା ସମ୍ଭାବନା ଅଧିକ। ଏଥିପାଇଁ ବିରୋଧୀଙ୍କ ହାତରେ ଅନେକ ଅସ୍ତ୍ର ରହିଛି। ବିରୋଧୀ ଶିବିରରୁ ମିଳୁଥିବା ଖବର ଅନୁସାରେ, ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ରହସ୍ୟ, କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ ସଭାପତିଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗ, ଭୁବନେଶ୍ବର ଉପକଣ୍ଠରେ ମହିଳା ଓକିଲଙ୍କ ଆତ୍ମହତ୍ୟା, ଗୁଳିମାରି ଯୁବକଙ୍କ ହତ୍ୟା ଘଟଣାକୁ ନେଇ ଗୃହ ଅଚଳ କରିବାକୁ କଂଗ୍ରେସ ଓ ବିଜେପି ଉଭୟ ପ୍ରସ୍ତୁତ ହୋଇଛନ୍ତି। ଏହା ବ୍ୟତୀତ ୫-ଟି ତନାଘନା, ଖଣି ପ୍ରସଙ୍ଗ, ଚାଷୀ ସମସ୍ୟା, ଦୁର୍ବିପାକ ସହାୟତାରେ ପାତର ଅନ୍ତର, ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀ ଭଳି ଗୁରୁତର ପ୍ରସଙ୍ଗ ଭଳି ବଡ଼ ବଡ଼ ପ୍ରସଙ୍ଗ ଗୃହରେ ଆଣି ସରକାରଙ୍କୁ ହଲାପଟା କରିବେ ବିରୋଧୀ।

ଖଣି, ପ୍ରଧାନମନ୍ତ୍ରୀ ଆବାସ ଓ ‘୫ଟି’ ପ୍ରସଙ୍ଗ ବି ଉଠିବ
କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିପାରେ ଶାସକ ଦଳ
ଆଜି ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ

ଅନ୍ୟପଟେ ବିରୋଧୀଙ୍କ ମୁକାବିଲା କରିବାକୁ ଯାଇ କେନ୍ଦ୍ରୀୟ ଅବହେଳାକୁ ଶାସକ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି। ତେବେ ନିକଟରେ ବିଜେପୁର ଉପନିର୍ବାଚନରେ ବିଜେଡି ୯୭ହଜାର ରେକର୍ଡ ଭୋଟ ବ୍ୟବଧାନରେ ଜିତିଥିବା କାରଣରୁ ଦଳୀୟ ନେତାଙ୍କ ମନୋବଳ ବେଶ୍ ସୁଦଢ ଅଛି। ଏହାବ୍ୟତୀତ ପୁରୀରେ ବିକାଶ ପାଇଁ ସରକାର ୩ହଜାର କୋଟି ଦେଇଛନ୍ତି ଓ କଟକ ବଡ଼ ମେଡିକାଲକୁ ଏମସ ସ୍ତରର କରିବା ଲାଗି ୧ହଜାର କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରାଯାଇଛି। ଏଣୁ ସରକାର ବିକାଶକୁ ପ୍ରସଙ୍ଗ କରି ବିରୋଧୀଙ୍କ ଅସ୍ତ୍ରକୁ ନିଷ୍କ୍ରିୟ କରିବାର ସମ୍ଭାବନା ଅଧିକ ରହିଛି। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଏଥିରେ ୨୫ଟି ସରକାରୀ ଦିବସ ଓ ୫ଟି ବେସରକାରୀ ଦିବସ ରହିଛି। ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ୨୫ ତାରିଖ ଦିନ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ। ପ୍ରଥମ ଦିନରେ ୩ ଜଣ ପୂର୍ବତନ ସଦସ୍ୟ ଓ ଜଣେ ସହିଦ ଯବାନଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ପାରିତ ଆସିପାରେ।

ସମ୍ବନ୍ଧିତ ଖବର