କୋଭିଡ୍‌ କଟକଣାରେ ଚାଲିବ ବିଧାନସଭା, ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ଗତ ୪ଟି ଅଧିବେଶନ ପରି ଏହି ଅଧିବେଶନ ମଧ୍ୟ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବ। ଅଧିବେଶନ ଅବ୍ୟବହିତ ପୂର୍ବରୁ ସବୁ ବିଧାୟକଙ୍କର ଆର୍‌ଟିପିସିଆର୍‌ ଓ ଆଣ୍ଟିବଡି ‌ପରୀକ୍ଷା କରାଯିବ। ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ବିଧାୟକଙ୍କ ସମେତ କାହାରିକୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଯାଇଛି।

ଆସନ୍ତା ୨୮, ୨୯ ଓ ୩୦ ତାରିଖ ପୂର୍ବାହ୍ନ ୮ଟା ୩୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆର୍‌ଟିପିସିଆର୍‌‌ ଟେଷ୍ଟ କରାଯିବ। ଏହି ସମୟରେ ମଧ୍ୟ ସମସ୍ତ ପ୍ରାଧୀକୃତ ଗଣମାଧ୍ୟମ ପ୍ରତିନିଧିଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ସମସ୍ତ ବିଧାୟକଙ୍କ ଡ୍ରାଇଭର୍‌, ସୁରକ୍ଷା କର୍ମୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିରୋଧୀ ଦଳ ନେତା, ମୁଖ୍ୟ ସଚେତକ, ଉପ ମୁଖ୍ୟ ସ‌ଚେତକଙ୍କ ସମସ୍ତ କର୍ମଚାରୀ, ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀଙ୍କର ମଧ୍ୟ କୋଭିଡ୍‌ ଟେଷ୍ଟ କରାଯିବ। ପୁଣି ବିଧାନସଭା ଅଧିବେଶନ ପରେ ପରେ ସମସ୍ତ ବିଧାୟକ ଓ କର୍ମଚାରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ।

ବିଧାନସଭା ଅଧିବେଶନ ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କରନ୍ତି, ତେବେ ତାଙ୍କର ତୁରନ୍ତ ଆଣ୍ଟିଜେନ୍ ଟେଷ୍ଟ କରାଯିବ। ସବୁ ବିଧାୟକଙ୍କୁ ସିଲ୍ଡ ମାସ୍କ, ମାସ୍କ, ଗ୍ଲୋଭ୍‌ସ୍‌ ଓ ସାନିଟାଇଜର୍ ୨୬ ଦିନ ପାଇଁ ଦିଆଯିବ। ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି କୋଭିଡ୍‌ ସାମଗ୍ରୀ ପ୍ରଦାନ କରାଯିବ। ବିଧାନସଭା ସମ୍ପର୍କିତ କାର୍ଯ୍ୟରେ ଆସୁଥିବା ସମସ୍ତ ସରକାରୀ ପଦାଧିକାରୀ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଧରି ବିଧାନସଭାରେ ପ୍ରବେଶ କରିବେ। ଡେଙ୍ଗୁ ମଶା ଦାଉରୁ ବିଧାନସଭା ପରିସରକୁ ମୁକ୍ତ ରଖିବା ପାଇଁ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ୍‌ କରାଯିବ। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌ କେ ଶର୍ମା, ବିଧାନସଭା ସଚିବ ଦାଶରଥୀ ଶତପଥୀ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀଙ୍କ ସମେତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର