ଭୁବନେଶ୍ବର: ମଙ୍ଗଳବାରଠାରୁ ୧୭ତମ ବିଧାନସଭାର ଦ୍ବିତୀୟ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଶୀତ ଅଧିବେଶନ ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ୬ଜଣ ଦିବଙ୍ଗତ ବିଧାୟକଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ ହେବ। ଏହାପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଜିଏସ୍ଟି ବିଧେୟକ,୨୦୨୪ରେ ହୋଇଥିବା ସଂଶୋଧନକୁ ଆଗତ କରିବେ। ପରେ ରାଜ୍ୟପାଳଙ୍କ ଅନୁମୋଦନ ହାସଲ କରିଥିବା ବିଭିନ୍ନ ବିଲ୍ ଉପସ୍ଥାପନ କରାଯିବ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ।
ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିଲେ ବାଚସ୍ପତି
ମୋଟ୍ ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନରେ ଡିସେମ୍ବର ୫ରେ ଅତିରିକ୍ତ ବଜେଟ୍ ପାରିତ ହେବ। ହେଲେ ଏହି ଅଧିବେଶନରେ ସରକାରୀ ଦଳକୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ସମସ୍ତ ପ୍ରସ୍ତୁତି କରିଛନ୍ତି। ବିରୋଧୀଙ୍କ ମୁକାବିଲା ପାଇଁ ସରକାରୀ ଦଳ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇଛି। ଅପରପକ୍ଷେ ବିଧାନସଭା କାର୍ଯ୍ୟ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଉପସ୍ଥିତ ଥିଲେ।