ନବ ହତ୍ୟା ପ୍ରସଙ୍ଗରେ ଅଟକିଛି ଗୃହ କାର୍ଯ୍ୟ

‘ମୋସନ୍’ ଆଲୋଚନା ପାଇଁ ସରକାର ରାଜି

ଭୁବନେଶ୍ବର : ବିଜେପିର ଦାବି ଯେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ। କଂଗ୍ରେସର ଦାବି, ଏସ୍‌ଆଇଟି ତଦନ୍ତ ହେଉ। ବିଜେଡିର ପ୍ରସଙ୍ଗ ହେଲା, କେନ୍ଦ୍ରର ଚାଷୀ ଓ ଗରିବ ମାରଣ ନୀତି ଚଳିବ ନାହିଁ। ତିନି ଦଳ ଏମିତି ଦାବି କରି ଆଜି ବିଧାନସଭା ଗୃହକୁ ଅଚଳ କରି ଦେଇଥିଲେ। ଆରମ୍ଭରୁ ଅଟକିଯାଇଥିଲା ଗୃହ କାର୍ଯ୍ୟ। ଶେଷ ପର୍ଯ୍ୟନ୍ତ ସ୍ବାଭାବିକ ହୋଇ ପାରିନଥିଲା। ଆଜିର ସ୍ଥିତିରୁ ଜଣାପଡ଼ୁଥିଲା ଯେ ଆସନ୍ତାକାଲି ମଧ୍ୟ ଗୃହ ସ୍ବାଭାବିକ ହେବାର ସମ୍ଭାବନା କମ୍।

ବୁଧବାର ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେପି ସଭ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲେ। କଂଗ୍ରେସ ସଭ୍ୟମାନେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପ୍ରକ୍ରିୟାକୁ ସମାଲୋଚନା କରିବା ସହ ଏସ୍‌ଆଇଟି ତଦନ୍ତ ଦାବି କରି ନାରାବାଜି କରିଥିଲେ। ଏହି ସମୟରେ ବିଜେଡି ସଭ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଠିଆ ହୋଇପଡ଼ିଥିଲେ। କେନ୍ଦ୍ର ଅବହେଳାର ସ୍ଲୋଗାନ୍ ଲେଖାଥିବା ବ୍ୟାନର୍‌ ପ୍ରଦର୍ଶନ କରି କେନ୍ଦ୍ର ବିରୋଧରେ ‌ଗର୍ଜିଥିଲେ। ତିନି ଦଳର ହୋହଲ୍ଲା ଭିତରେ ଆଉ ଗୃହ ଚଳାଇବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ସେ ଗୃହକୁ ମୁଲତବୀ ରଖିଥିଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ପୁଣି ବିଜେପି ଓ କଂଗ୍ରେସ ସଭ୍ୟମାନେ ମଧ୍ୟ ଭାଗକୁ ମାଡ଼ି ଆସି ନାରାବାଜି ଆରମ୍ଭ କରିଦେଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ରହି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଚାଲିଥିବା ତଦନ୍ତ ପ୍ରକ୍ରିୟା ଉପରେ ବିବୃତି ରଖିଥିଲେ। ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସର୍ବଦଳୀୟ ବୈଠକରେ କିଛି ନିଷ୍କର୍ସ ବାହାରି ପାରି ନଥିଲା। ଅପରାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ଗୃହ ମଧ୍ୟ ଭାଗରେ ବିଜେପି ଓ କଂଗ୍ରେସ, ନିଜ ନିଜ ଆସନରେ ବିଜେଡି ସଭ୍ୟମାନେ ନାରାବାଜି କଲେ। ତେବେ ବିଜେଡି ସଭ୍ୟମାନେ ୨/୩ ମିନିଟ୍‌ ନାରାବାଜି କରି ବସିପଡ଼ିଲେ। ବିରୋଧୀ ଦଳ ଉଠାଉଥିବା ପ୍ରସଙ୍ଗ ଉପରେ ଆସନ୍ତାକାଲି ମୋସନ୍ ଆକାରରେ ଆଲୋଚନା ହେବ ବୋଲି ବାଚସ୍ପତି କହିଥିଲେ ବି ବିରୋଧୀ ସଦସ୍ୟମାନେ ଶୁଣି ନଥିଲେ। ଶାସକ ଦଳ ମୁଖ୍ୟ ସ‌ଚେତକ ପ୍ରଶାନ୍ତ ମୁଦୁଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣି ଆଲୋଚନା ଆରମ୍ଭ କରିଥିଲେ। ସେ ପ୍ରାୟ ଅଧ ଘଣ୍ଟା ସରକାରଙ୍କ ସଫଳତା ବଖାଣିଥିଲେ। କିନ୍ତୁ ବିରୋଧୀଙ୍କ ହୋହଲ୍ଲା ଭିତରେ କିଛି ଶୁଣାଯାଉ ନଥିଲା। ୪ଟା ୩୪ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର