ବାଲେଶ୍ୱର: ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବାଲେଶ୍ବର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ତଥା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଆଉ ୨୦ ଟି ପ୍ଲଟ୍ ଠାବ କରାଯାଇଛି। ପଶ୍ଚିମବଙ୍ଗର ସୁନାକଣିଆ ଆଉ ଦାନ୍ତୁନ ଅଞ୍ଚଳରୁ ଏହି ପ୍ଲଟ୍ ଠାବ ହୋଇଛି। ସରକାରୀ ଚାକିରିରେ ଥାଇ ଜମି ପ୍ଲଟ୍ କିଣାରେ ସେ ଶତକ ପାର୍ କରିଛନ୍ତି। ପୂର୍ବରୁ ୮୫ଟି ଏବଂ ଏବେ ଆଉ ୨୦ଟି ପ୍ଲଟ୍କୁ ମିଶାଇ ମୋଟ ୧୦୫ଟି ପ୍ଲଟ୍ ଠାବ କରାଯାଇଥିବା ଭିଜିଲାନ୍ସ ଏସ୍ପି ନରହରି ନାୟକ ସୂଚନା ଦେଇଛନ୍ତି।
ଗତ ୨ ତାରିଖରେ ବାଲେଶ୍ବର ଜଳସମ୍ପଦ ବିଭାଗ ପରିସରରେ ରହୁଥିବା ଇଂ. ପ୍ରଧାନଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ଜଳେଶ୍ୱର ବଡ଼ବଜାରସ୍ଥିତ ବାସଭବନ, ବାଲିଆପାଳ ମଇଁଷାମୁଣ୍ଡାସ୍ଥିତ ସଂପର୍କୀୟଙ୍କ ଘର ସମେତ ଜଳେଶ୍ୱର ଶାନ୍ତିଆରେ ଥିବା ଜଣେ ସହଯୋଗୀ ତଥା ଠିକାଦାରଙ୍କ ଘରେ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ଉ କରି ବିପୁଳ ସଂପତ୍ତି ଠାବ କରିଥିଲେ। ଶ୍ରୀ ପ୍ରଧାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ତାଜୁବ ହୋଇଯାଇଥିଲେ। କେବଳ ଜଳେଶ୍ୱର ତହସିଲ ଅଞ୍ଚଳରେ ୮୦ ଟି ପ୍ଲଟ୍ ଠାବ ହୋଇଥିଲା। ପୁରୀ ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗ ସୁନାକଣିଆରେ ଗୋଟିଏ। ଏହି ସବୁ ପ୍ଲଟ୍ ପ୍ରଭାସ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି। ବିଭିନ୍ନ ବର୍ଷରେ ଜମି କିଣାଯାଇଥିବା ବେଳେ ଏହାର ବର୍ତ୍ତମାନ ମୂଲ୍ୟ ୨ କୋଟି ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ। ତାଙ୍କ ଘରୁ ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା, ୪୯ଟି ଅଚଳ ୨ ହଜାର ଟଙ୍କିଆ ନୋଟ୍, ଗୋଟିଏ ସୁନା ବିସ୍କୁଟ୍ ସମେତ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ବ୍ୟାଙ୍କ୍, ପୋଷ୍ଟାଲ ଏବଂ ବୀମାସଂସ୍ଥାରେ ତାଙ୍କର ୭୮ ଲକ୍ଷ ୨ ହଜାର ୭୭୯ ଟଙ୍କା ଜମା ରହିଛି। ତାଙ୍କର ଗୋଟିଏ ୨ ଚକିଆ ଥିବା ବେଳେ ଗୋଟିଏ ୪ ଚକିଆ ଗାଡ଼ି ରହିଛି। ଘରର ଆସବାବପତ୍ରର ମୂଲ୍ୟ ୬ଲକ୍ଷ ୬୩ ହଜାର ଟଙ୍କା ହେବ ବୋଲି କୁହାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ୨୦୦୭ରୁ ବାଲେଶ୍ବର ଜଳସେଚନ ବିଭାଗରେ ଉପଖଣ୍ଡୀୟ ଅଧିକାରୀ(ଏସ୍ଡିଓ) ଭାବେ ଯୋଗଦେବା ପରେ ଶ୍ରୀ ପ୍ରଧାନ ଅଧୀକ୍ଷଣ ଯନ୍ତ୍ରୀ ରୂପେ ପଦନ୍ନୋତି ପାଇଥିଲେ। ୨୦୨୦-୨୧ରୁ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା ଏବଂ ଅଗଷ୍ଟ ପହିଲାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପକୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ବଦଳି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fhfhftt.jpg)