ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଠାଜଳସେଚନ ନିଗମ (ଓଏଲଆଇସି) ଆକାଉଣ୍ଟରୁ ୧ କୋଟି ୧୯ ଲକ୍ଷ ୭୧ ହଜାର ଟଙ୍କା ଆତ୍ମସାତ ହୋଇଛି। କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ବଳରାମ ମେହେର ଏହି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବା ବେଳେ ସେ ଫେରାର ହୋଇଯାଇଛନ୍ତି। ଓଏଲ୍ଆଇସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ ଦ୍ବାରା ତଦନ୍ତ ଆରମ୍ଭ ହୋଇଛି। ସେହିପରି ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ସୋମବାର ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ସୁବର୍ଣ୍ଣପୁର ଜିଲ୍ଲାରେ ଗଭୀର ନଳକୂପ ଖନନ ଓ ବିଭିନ୍ନ ଯୋଜନାରେ ସରକାରଙ୍କ ପକ୍ଷରୁ ଆସୁଥିବା ଅର୍ଥ ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ୟୁନିୟନ ବ୍ୟାଙ୍କ ସୋନପୁର ଶାଖାରେ ଜମା ଥିଲା। ନିର୍ବାହୀ ଯନ୍ତ୍ରୀଙ୍କ ଆଇଡି, ପାସ୍ୱର୍ଡ, ଚେକ୍ ଓ ସିଲ୍ ବ୍ୟବହାର କରି ଶ୍ରୀ ମେହେର ଏକାଧିକ ଥର ନିଜ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ଟ୍ରାନ୍ସଫର କରିଛନ୍ତି। ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରା ଏ ସମ୍ପର୍କରେ ଜାଣିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ଅଭିଯୋଗ କରିଛନ୍ତି। ୧ କୋଟିରୁ ଅଧିକ ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ କିମ୍ବା ଅର୍ଥନୈତିକ ଅପରାଧିକ ଶାଖା ରେ ଅଭିଯୋଗ କରିବାକୁ ସୋନପୁର ଆଇଆଇସି ରମେଶ ଚନ୍ଦ୍ର ମହାଣା ପରାମର୍ଶ ଦେଇଛନ୍ତି। ସୂଚନା ପାଇବା ପରେ ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍ପି ରୀତାଞ୍ଜଳି ପ୍ରଧାନ ଗତ ସୋମବାର ଉଠାଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି।
ସେହିପରି ଭୁବନେଶ୍ବର ଉଠାଜଳସେଚନ ନିଗ ମୁଖ୍ୟ କାର୍ଯ୍ୟାଳୟର ଚିଫ ଆକାଉଣ୍ଟ ଅଫିସର ତଥା ଅର୍ଥ ପରାମର୍ଶଦାତା ନିର୍ଝରଣୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଆକାଉଣ୍ଟ ଅଫିସର ସାଧନା ବେହେରା ଏବଂ ଡେପୁଟି ଆକାଉଣ୍ଟ ଅଫିସର ଅଜୟ ନାୟକ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆକାଉଣ୍ଟସ୍ ନଥିପତ୍ର ଯାଞ୍ଚ କରୁଛନ୍ତି। ସୂଚନାଯୋଗ୍ୟ, ସହକାରୀ ହିସାବ ରକ୍ଷକ ଶ୍ରୀ ମେହେର ଜଣେ ଆଉଟ୍ସୋର୍ସିଂ କର୍ମଚାରୀ। ସେ ୨୦୧୪ ମସିହାରୁ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। ପରେ ସହକାରୀ ହିସାବ ରକ୍ଷକ (ବାଣିଜ୍ୟ) ଭାବରେ ନିଯୁକ୍ତି ହୋଇଛନ୍ତି। ନିର୍ବାହୀ ଯନ୍ତ୍ରୀ ତାଙ୍କୁ ବିଶ୍ବାସ କରି ନିଜର ଆଇଡି, ପାସ୍ୱାର୍ଡ ଦେଇଥିଲେ ଏବଂ ଆର୍ଟିଜିଏସ କରିବାକୁ ଶ୍ରୀ ମେହେରଙ୍କୁ ବ୍ୟାଙ୍କକୁ ପଠାଇଥିଲେ। ହେଲେ ଶ୍ରୀ ମେହେର ତାଙ୍କୁ ଠକିଥିବା ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।