ରାଉରକେଲା: ବହୁଚର୍ଚ୍ଚିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁରୁ ପରଦା ଉଠିପାରିନି। ତଦନ୍ତ ଜାରି ରହିଥିବାବେଳେ ଆଜି ମୃତକଙ୍କ ଭିସେରା ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ଷ୍ଟେଟ୍‌ ଫରେନ୍ସିକ ସାଇନ୍ସ ଲାବୋରେଟୋରୀ(ଏସ୍‌ଏଫ୍‌ଏସ୍‌ଲ)ରେ ପୁନଃ ପରୀକ୍ଷଣ ପରେ ରିପୋର୍ଟ ରାଉରକେଲା ପୁଲିସକୁ ଦିଆଯାଇଛି। ତେବେ ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି; ତାହା ସ୍ପଷ୍ଟ ହୋଇନି।

Advertisment

ଅପରପକ୍ଷରେ ଏନେଇ ପ୍ରତିକ୍ରିୟାରେ ତଦନ୍ତଅଧିକାରୀ ଡିଏସ୍‌ପି ବନୀତା ମାଝୀ କହିଛନ୍ତି, ସତ୍ୟାସତ୍ୟ ପାଇଁ ଏସ୍‌ଏଫ୍‌ଏସଏଲ୍‌କୁ ଭିସେରା ରିପୋର୍ଟ ପଠାଯାଇଥିଲା। ଏହି ରିପୋର୍ଟ ଆମର ହସ୍ତଗତ ହୋଇଥିବା ବେବେଳ ଏହାର ତର୍ଜମା ଚାଲୁଛି। ଏହି ମାମଲାର ତଦନ୍ତ ଜାରି ରହିଛି। ପରିବାରବର୍ଗଙ୍କୁ ଅଭିଯୋଗକ୍ରମେ ଏ ପର୍ଯ୍ୟାନ୍ତ ୨୦ରୁ ଅଧିକ ଲୋକଙ୍କୁ ଜେରା କରାଯାଇଛି। ସୁସ୍ମିତାଙ୍କ ପାଖରୁ ଉଦ୍ଧାର ହୋଇଥିବା ମୋବାଇଲକୁ ପୁନର୍ବାର ଯାଞ୍ଚ ପାଇଁ ପଠାଯାଇଛି। ମୋବାଇଲରେ ଥିବା ସମସ୍ତ ଫଟୋ, ଭିଡିଓ, ଡାଟା, ଅଡିଓ ରିକଭର୍‌ କରାଯିବ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୧୬ ତାରିଖରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳଭା‌ବେ କାର୍ଯ୍ୟରତ ସୁସ୍ମିତା ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ତା’ ପରଦିନ, ଅର୍ଥାତ୍‌ ୧୭ ତାରିଖରେ ସୁସ୍ମିତା ସ୍ଥାନୀୟ ରାଧିକା ‌ରିଜେନ୍ସି ହୋଟେଲରେ ଥିବା ଜଣାପଡ଼ିଥିଲା।

ପୁଲିସ ସହାୟତାରେ ପରିବାର ଲୋକ ହୋଟେଲରେ ପହଞ୍ଚି ଘରକୁ ଯିବାକୁ କହିଥିଲେ ମଧ୍ୟ ସୁସ୍ମିତା ମାନିନଥିଲେ। ୧୯ ତାରିଖରେ ସେନସୋରୀ ପାର୍କ ଭିତରେ ଥିବା ପୋଖରୀରୁ ସୁସ୍ମିତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ଏହା ଆତ୍ମହତ୍ୟା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ କରି ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଗୁରୁଣ୍ଡିଆ ବିଡିଓ, ଗୁରୁଣ୍ଡିଆ ସିଡିପିଓଙ୍କ ନାଁରେ ମୃତକଙ୍କ ଭାଇ ଲିଖିତ ଅଭିଯୋଗ କରିଥିଲେ।