୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ସହକାରୀ ବାଣିଜ୍ୟକର ଅଧିକାରୀ ଗିରଫ

ଜଗତସିଂହପୁର ଟାଉନ୍: ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ ସମୟରେ ବ୍ୟବସାୟୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପାରାଦୀପସ୍ଥିତ ବାଣିଜ୍ୟକର ଓ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ୍‌ର ସହକାରୀ ବାଣିଜ୍ୟକର ଅଧିକାରୀ(ଏସିଟିଓ) ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଆଜି ଅପରାହ୍ନରେ ଭିଜିଲାନ୍ସ ଗିରଫ କରିଛି। ତାଙ୍କଠାରୁ ଲାଞ୍ଚ ବାବଦରେ ଗ୍ରହଣ କରିଥିବା ୨ ଲକ୍ଷ ଲାଞ୍ଚ ଜବତ କରାଯାଇଛି। ଏହାପରେ ତାଙ୍କ ଅଫିସ୍, ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି।

ଭିଜିଲାନ୍ସ ସୂଚନା ଅନୁସାରେ, ୨୦୨୨ ମେରେ ପାରାଦୀପର ଗ୍ଲାସ୍ ଓ ପ୍ଲାଏ ବ୍ୟବସାୟୀ ଅକ୍ଷୟ କୁମାର ନାଥଶର୍ମାଙ୍କ ହିସାବକିତାବ ଯାଞ୍ଚ କରାଯାଇଥିଲା। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଏସିଟିଓ ଶ୍ରୀ ସାହୁ ୨ ଲକ୍ଷ ଟଙ୍କା ମାଗିବା ସହ ଧମକଚମକ ଦେଇଥିଲେ। ଏ ନେଇ ଶ୍ରୀ ନାଥଶର୍ମା କଟକ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଶ୍ରୀ ସାହୁ ଆଜି ଅପରାହ୍ନରେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହାପରେ କେନ୍ଦ୍ରାପଡ଼ା ଓଳାଭର ଠାରେ ଥିବା ଶ୍ରୀ ସାହୁଙ୍କ ଘରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର