ବାଲେଶ୍ବର : ବୈଧମାପ ବିଭାଗ, ବାଲେଶ୍ବର ଶାଖାର ସହକାରୀ ନିୟନ୍ତ୍ରକ ସାଗରିକା ସାବତ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଖନ୍ତାପଡ଼ା ଥାନା ଅଧୀନ କୁଅଁରପୁର ଠାରେ ଥିବା ଏକ ପ୍ରମିଳା ପେଟ୍ରୋଲିୟମ୍ର ମ୍ୟାନେଜର ଚିରଞ୍ଜିବ ସିଂ ତାଙ୍କ ବିରୋଧରେ ଏହି ଅଭିଯୋଗ କରିବା ପରେ ଭିଜିଲାନ୍ସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲ। ଗିରଫ ପରେ ସାଗରିକାଙ୍କ ବାଲେଶ୍ବର ସହର ଆଜିମାବାଦରେ ଥିବା ଭଡ଼ାଘର, ରାଜାବଗିଚାରେ ଥିବା କାର୍ଯ୍ୟାଳୟ ଏବଂ ଗଂଜାମ ଜିଲ୍ଲା ବ୍ରହ୍ମପୁର ଥାନା ଶକ୍ତିନଗର ଲେନ୍ରେ ଥିବା ନିଜ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ଖନ୍ତାପଡ଼ା ଥାନା କୁଅଁରପୁର ସ୍ଥିତ ପ୍ରମିଳା ପେଟ୍ରୋଲ ପମ୍ପରେ ଇନ୍ଧନ ବିତରଣ ୟୁନିଟ୍ ଠିକ୍ ଭାବେ କାମ କରୁଥିବା ନେଇ ରିପୋର୍ଟ ଦେବା ଲାଗି ବାଲେଶ୍ବର ବୈଧମାପ ବିଭାଗର ସହକାରୀ ନିୟନ୍ତ୍ରକ ସାଗରିକା ସାବତ ପେଟ୍ରୋଲପମ୍ପ ମ୍ୟାନେଜର ଚିରଞ୍ଜିବ ସିଂଙ୍କୁ ୧୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଶ୍ରୀ ସିଂ ବାଲେଶ୍ବର ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ। ଏହାପରେ ଯୋଜନା ମୁତାବକ ଆଜି ଅପରାହ୍ଣରେ ଶ୍ରୀମତୀ ସାବତ ଉକ୍ତ ପେଟ୍ରୋଲପମ୍ପ ଯାଇ ମ୍ୟାନେଜର ଶ୍ରୀ ସିଂଙ୍କ ଠାରୁ ଲାଞ୍ଚ ଟଙ୍କା ନେଇ ଭ୍ୟାନିଟି ବ୍ୟାଗରେ ରଖୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ନେଇଥିଲେ। ଏ ନେଇ ଭିଜିଲାନ୍ସ ବିଭାଗରେ ୧୩/୨୩ ମୂଳେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଏସ୍ପି ନରହରି ନାୟକ ସୂଚନା ଦେଇଛନ୍ତି।