ରାଉରକେଲା: ବହୁଚର୍ଚ୍ଚିତ ସହକାରୀ ଅତିରିକ୍ତ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଉପରୁ ପରଦା ଉଠିନି। ଏବେ ବି ସନ୍ଦେହଜନକ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି। ଅପରପକ୍ଷରେ ଆଜି ଦୁଇ ବରିଷ୍ଠ ଅଧିକାରୀ ଗୁରୁଣ୍ଡିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ବେର୍ନାଦେଥ୍‌ ଲାକ୍ରା ଓ ସିଡିପିଓ ଫୁଲଜେନସିଆ ଏକ୍କାଙ୍କୁ ଜେରା କରାଯାଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ତଦନ୍ତକାରୀ ଅଧିକାରୀ ବନୀତା ମାଝୀ ପ୍ରାୟ ଦେଢ଼ ଘଣ୍ଟା ଧରି ପଚରାଉଚରା କରିଥିଲେ।

Advertisment

ଆଜି ପୂର୍ବାହ୍ନରେ ଉଭୟ ଅଧିକାରୀଙ୍କୁ ତଦନ୍ତରେ ସାମିଲ ହେବାକୁ ନୋଟିସ ଦିଆଯାଇଥିଲା। ନିର୍ଦ୍ଦେଶକ୍ରମେ ଉଭୟ ଅଧିକାରୀ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ରୁଦ୍ଧଦ୍ବାର କୋଠରିରେ ପ୍ରଥମେ ଉଭୟଙ୍କୁ ପୃଥକ୍‌ଭାବେ ଜେରା କରାଯାଇଥିଲା। ପରେ ଉଭୟଙ୍କୁ ମୁହାଁମୁହିଁ ବସାଇ ଜେରା କରାଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ପଚରାଉଚରା କରିଥିଲେ ତଦନ୍ତକାରୀ ଅଧିକାରୀ। ତେବେ ଦୁଇ ଅଧିକାରୀ ନିର୍ଦ୍ଦିଷ୍ଟଭାବେ କଣ ଉତ୍ତର ରଖିଥିଲେ ତାହା ଜଣାପଡ଼ିନି। ତଦନ୍ତରେ ସାମିଲ ହେବାନେଇ ଗୁରୁଣ୍ଡିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ବେର୍ନାଦେଥ୍‌ ଗଣମାଧ୍ୟମ ସମ୍ମୁଖରେ ପ୍ରତ୍ରିକ୍ରିୟା ରଖିଥିଲେ। କହିଲେ, ତଦନ୍ତ ପରିସରଭୁକ୍ତ ହେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ମୁତାବକ ମୁଁ ଆଜି ପହଞ୍ଚି ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଛି। ତଦନ୍ତଅଧିକାରୀ ଯାହା ପଚାରିଲେ, ସବୁ କହିଦେଇଛି। ସୁସ୍ମିତାଙ୍କ ମୃତ୍ୟୁ ପୂର୍ବରୁ ଏହି ଦୁଇ ଅଧିକାରୀ ତାଙ୍କ ଗାଁ ର​ରାମାବାହାଲକୁ ଯାଇ ପରିବାରବର୍ଗଙ୍କୁ ଭେଟିବା ନେଇ କହିଲେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆମେ ସୁସ୍ମିତାଙ୍କ ଗାଁକୁ ଯାଇଥିଲୁ। ବଣାଇର ଜଣେ ଅତିରିକ୍ତ ତହସିଲଦାର ଏବେ ଡେପୁଟେସନରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ। ଉକ୍ତ ଅଧିକାରୀ ଓ ସୁସ୍ମିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହାକୁ କେନ୍ଦ୍ରକରି ସୁସ୍ମିତା ଇଆଡ଼ୁସେଆଡ଼ୁ ମେସେଜ୍‌ ଦେଉଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ। ଏଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନକରି ମୁଁ ଓ ସିଡିପିଓ ଗତ ୧୮ ତାରିଖରେ ସୁସ୍ମିତାଙ୍କ ଗାଁକୁ ଯାଇଥିଲୁ। ସେଦିନ ସୁସ୍ମିତା ଘରେ ଉପସ୍ଥିତ ନ ଥିଲେ। ଏଣୁ ତାଙ୍କ ମାଙ୍କ ସହ କଥାବାର୍ତ୍ତା ହୋଇ ଆସିଥିଲୁ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୯ ତାରିଖରେ ସୁସ୍ମିତାଙ୍କ ମୃତ୍ୟୁପରେ ଭାଇ ସନ୍ଦୀପ ମିଞ୍ଜ ହତ୍ୟା ଅଭିଯୋଗ ଆଣିଥିଲେ। ଉକ୍ତ ଦିନ ହିଁ ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତି ଲାକ୍ରା, ସିଡିପିଓ ଶ୍ରୀମତି ଏକ୍କା ଓ ହୋଟେଲକୁ ଯାଇ ସୁସ୍ମିତାଙ୍କ ସହ ଆଲୋଚନା କରିଥିବା ଏଏସ୍‌ଆଇ ଏଲିଶ ନାରମି ଲୁଗୁନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପ୍ଲାଣ୍ଟ୍‌ସାଇଟ ପୁଲିସ ଏତଲା ରଖିବାକୁ ମନା କରିଦେଇଥିଲା।