ଜଗତସିଂହପୁର : ଜାଲ୍ ବିଲ୍ ଦେଇ ରଘୁନାଥପୁର ବ୍ଲକ୍ରେ ଦେଢ଼କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ ରଘୁନାଥପୁର ଥାନା ପୁଲିସ ଗିରଫ କରିଛି। ଅମୀୟଙ୍କ ବିରୋଧରେ ପୁଲିସ ୪୨୦/୪୬୮/ ୪୭୧/୪୦୯/ ୧୬୬–ଏ/୧୬୭/୪୬୫ ଓ ୩୪ ଆଇପିସି ଧାରାରେ ମାମଲା ରୁଜୁ କରିଛି। ଗତ ୩୦ ତାରିଖରେ ଅବସର ନେଇଥିବା ଅମୀୟଙ୍କୁ ଆଜି ପୁଲିସ ଗିରଫ କରିବା ପରେ ଏହି ଦୁର୍ନୀତିରେ ସାମିଲ ଥିବା ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ମାମଲାର ଅନ୍ୟତମ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ସରସ୍ବତୀ ମୁଦୁଲି ହାଇକୋର୍ଟରୁ ଆଗୁଆ ଜାମିନ ଆଣିଛନ୍ତି।
ସୂଚନାଯୋଗ୍ୟ ଯେ ଏହି ଦୁର୍ନୀତିକୁ ପ୍ରସଙ୍ଗ କରି ‘ସମ୍ବାଦରେ ଲଗାତାର ଭାବେ ଖବର ପ୍ରକାଶ ପାଇ ଆସୁଥିଲା। ଘଟଣା ସଂପର୍କରେ ଏସ୍ଡିପିଓ ପ୍ରଶାନ୍ତ ମାଝୀ ଦେଇଥିବା ସୂଚନା ମୁତାବକ, ଜିଏସ୍ଟି ବିଲ୍ ଫାଙ୍କିବାକୁ ଏହି ସମସ୍ତ ଷଡ଼ଯନ୍ତ୍ର କରାଯାଇଥିଲା। କନିଷ୍ଠ ଯନ୍ତ୍ରୀ ସରସ୍ବତୀ ମୁଦୁଲି ଏ ନେଇ ଏକ ଜାଲ୍ ବିଲ୍ ପ୍ରସ୍ତୁତ କରିଥିଲେ। ଏହାକୁ ତତ୍କାଳୀନ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ଅନୁମୋଦନ କରି ବିଡିଓ ପଞ୍ଚାନନ ପଟ୍ଟାୟତଙ୍କ ପାଖକୁ ପଠାଇଥିଲେ। ପ୍ରଥମେ ଏତଲାରେ ଅମୀୟଚାନ୍ଦଙ୍କ ନାଁ ନଥିବା ବେଳେ ପୁଲିସ ତଦନ୍ତରୁ ତାଙ୍କର ଭୂମିକା ଜଣାପଡ଼ିଥିଲା। ଆଗକୁ ତଦନ୍ତରେ ଯେଉଁମାନଙ୍କ ନାଁ ସାମନାକୁ ଆସିବ, ସମସ୍ତଙ୍କୁ ଗିରଫ କରାଯିବ। କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ମୁଦୁଲି ବି ଯଦି ତଦନ୍ତରେ ସହଯୋଗ ନ କରନ୍ତି, କୋର୍ଟଙ୍କ ନିୟମ ଅନୁଯାୟୀ ତାଙ୍କ ଆଗୁଆ ଜାମିନକୁ ଖାରଜ କରାଯିବ। ଏହାଛଡ଼ା ଯେଉଁ କିରାଣିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି, ତାଙ୍କର ମଧ୍ୟ ଏଠାରୁ ବଦଳି ହୋଇଗଲାଣି। ପୂର୍ବରୁ ଏହି ମାମଲା ସହ ସଂପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ବଦଳି ହେଲାଣି। ଏଣୁ ସମସ୍ତଙ୍କୁ ପୁଣି ଏକାଠି କରି ତଦନ୍ତ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ରେଢ଼ୁଆର ସାମାଜିକ କର୍ମୀ ତଥା ଏହି ମାମଲାର ଅଭିଯୋଗକାରୀ ଗୋବିନ୍ଦ ଓଝା ଅନଲାଇନ୍ ଓ ରେଜିଷ୍ଟ୍ରି ପୋଷ୍ଟରେ ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ଇନ୍ଦ୍ରତନୟା ସାମଲ ଓ ସହକାରୀ ଯନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବିରୋଧରେ ଏତଲା ଦେଇଥିଲେ। ଏଣୁ ବର୍ତ୍ତମାନ ପୁଲିସ କେବଳ ଅମୀୟଙ୍କୁ ଗିରଫ କରି ଚୁପ୍ ବସିବ ନା ଅନ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ବି ଜେଲ୍ର ଚାରିକାନ୍ଥ ମଧ୍ୟକୁ ନେବ, ଏହା ଉପରେ ସମସ୍ତଙ୍କ ନଜର ରହିଛି।
ଏହି ମାମଲାରେ କଂଗ୍ରେସ ରଘୁନାଥପୁର ବଜାରରୁ ପଦଯାତ୍ରା ଆରମ୍ଭ କରି ବ୍ଲକ୍ ଘେରାଉ କରିଥିଲା। ଅମୀୟଙ୍କ ଗିରଫଦାରୀ ପରେ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି, ରଘୁନାଥପୁର ବ୍ଲକ୍ ଆମ ଗାଁ ଆମ ବିକାଶ ଯୋଜନାରେ ହୋଇଥିବା ୧କୋଟି ୬୨ ଲକ୍ଷ ଟଙ୍କାର ଦୁର୍ନୀତି ମାମଲାରେ ଜଗତସିଂହପୁର ସାଂସଦଙ୍କ ସମ୍ପର୍କୀୟ କହି ବୁଲୁଥିବା ପୂର୍ବତନ ସହକାରୀ ଯନ୍ତ୍ରୀଙ୍କ ଗିରଫ ହେବା ଘଟଣା ଶିଥିଳ ପଡ଼ିଯାଉଥିବା ତଦନ୍ତକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଏହି ଦୁର୍ନୀତିରେ ସଂପୃକ୍ତ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମତ ପ୍ରକାଶ ପାଇଛି। ଅନ୍ୟପଟେ ତଦନ୍ତକୁ ତ୍ୱରାନ୍ୱିତ ଓ ନିରପେକ୍ଷ କରିବା ପାଇଁ ଏହାକୁ ଭିଜିଲାନ୍ସକୁ ହସ୍ତାନ୍ତର କରିବାକୁ ଦାବି ହୋଇଛି।