କଟକ: ଓଡ଼ିଶା ଇଞ୍ଜିନିୟରିଂ ସେବା ସଂଶୋଧିତ ନିୟମାବଳୀ, ୨୦୨୩ ଅନୁସାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ପଦରେ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବା ପାଇଁ ଓପିଏସ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆବେଦନକାରୀଙ୍କ ପାଇଁ ପ୍ରଯୁଜ୍ୟ ପଦବିଗୁଡ଼ିକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିବା ସହ ରାଜ୍ୟ ସରକାର, ଓପିଏସ୍‌ସି ଓ ଅନ୍ୟ ପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୀପକ କୁମାର ପାଢ଼ୀ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ୩ଟି ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମୂଳ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ କରାଯିବାକୁ ଧାର୍ଯ୍ୟ କରାଯାଇଛି।

Advertisment

ଆବେଦନକାରୀଙ୍କ ପାଇଁ ପଦବି ଖାଲି ରହିବ

ମାମଲାରୁ ପ୍ରକାଶ ଯେ, ଗତ ୨୦୨୩ ଡିସେମ୍ବର ୨୮ରେ ଓପିଏସ୍‌ସି ପକ୍ଷରୁ ଜଳସମ୍ପଦ ବିଭାଗରେ ୩୪୮ଟି ସହକାରୀ ନିର୍ବାହୀ ଯନ୍ତ୍ରୀ(ସିଭିଲ୍‌) ଓ ସହକାରୀ ନିର୍ବାହୀ ଯନ୍ତ୍ରୀ(ମେକାନିକାଲ୍‌) ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଅନୁସାରେ ଗେଟ୍ ଫଳାଫଳ ଆଧାରରେ ପ୍ରାର୍ଥୀ ଚୟନ କରାଯିବା ପାଇଁ ଧାର୍ଯ୍ୟ ହୋଇଥିଲା। ଓପିଏସ୍‌ସି ପକ୍ଷରୁ ମୂଳ ନିଯୁକ୍ତି ବିଜ୍ଞପ୍ତିର ଏକ ଶୁଦ୍ଧିପତ୍ର ଗତ ୨୦୨୪ ଏପ୍ରିଲ ୧୧ ତାରିଖରେ ପ୍ରକାଶ କରାଯାଇଥିଲା। ଯେଉଁଥିରେ ପୂର୍ବରୁ ଆବେଦନ କରିଥିବା ପ୍ରାର୍ଥୀ ଯଦି ଇତିମଧ୍ୟରେ ବର୍ଦ୍ଧିତ ଗେଟ୍ ସ୍କୋର୍‌ ପାଇଥିବେ ତାହାକୁ ଅପ୍‌ଲୋଡ ପାଇଁ ସୁଯୋଗ ଦିଆଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ଏହି ବିଜ୍ଞପ୍ତି ହାଇକୋର୍ଟଙ୍କ ୨୦୨୫, ଜାନୁଆରି ୧୫ ତାରିଖର ରାୟକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି। ଦରଖାସ୍ତ ଦାଖଲ ଶେଷ ତାରିଖ ସମ୍ପ୍ରସାରଣ କରିବାକୁ ହାଇକୋର୍ଟ କହିଥିଲେ। କିନ୍ତୁ ଓପିଏସ୍‌ସି ଏହି ବିଜ୍ଞପ୍ତି ଦ୍ୱାରା ପୂର୍ବରୁ ଦରଖାସ୍ତ ଦାଖଲ କରି ସାରିଥିବା ପ୍ରାର୍ଥୀଙ୍କୁ ସେମାନଙ୍କ ବର୍ଦ୍ଧିତ ଗେଟ୍ ସ୍କୋର ଅପଲୋଡ୍‌ ପାଇଁ ଅନୁମତି ଦେଇଛି। ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ଓପିଏସ୍‌ସି ବିଜ୍ଞପ୍ତିକୁ କେତେକ ପ୍ରାର୍ଥୀ ସମର୍ଥନ କରି ତଥା ଏହି ଆବେଦନକୁ ବିରୋଧ କରି ମାମଲାରେ ପକ୍ଷଭୁକ୍ତ ‌ହୋଇଛନ୍ତି।