କଟକ: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ନିଯୁକ୍ତିରେ ଅହେତୁକ ବିଳମ୍ବ ହେବାରେ ଲାଗିଛି। ଯଦିଓ ମାମଲା କୋର୍ଟରେ ବିଚାରାଧୀନ ରହିଛି, ତଥାପି ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ବେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) କେଉଁ କାରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବିତ କରିଚାଲିଛି ତାହାକୁ ନେଇ ଆଶାୟୀମାନେ ପ୍ରଶ୍ନ ଉଠାଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଯେତେ ବିଳମ୍ବ ହେଉଛି, କୋର୍ଟରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି।

Advertisment

ଶେଷଥର ୨୦୧୯ ମସିହାରେ ଏଇଇ ପଦବିରେ ନିଯୁକ୍ତି ହୋଇଥିଲା। ସେହି ସମୟରେ ଗେଟ୍‌ (ଗ୍ରାଜୁଏଟ୍‌ ଆପ୍‌ଟିଚ୍ୟୁଡ୍‌ ଟେଷ୍ଟ୍‌ ଇନ୍‌ ଇଞ୍ଜିନିୟରିଂ) ସ୍କୋରକୁ ବିଚାରକୁ ନିଆଯିବା ପାଇଁ ସରକାର ନିୟମାବଳୀରେ ସଂଶୋଧନ କରିଥିଲେ। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବାରୁ ଉକ୍ତ ସଂଶୋଧନକୁ ରଦ୍ଦ କରାଯାଇଥିଲା। ୨୦୨୧ରେ ପୁଣିଥରେ ଗେଟ୍‌ ସଂଶୋଧିତ ନିୟମାବଳୀ ଆସିବା ସହ ୨୦୨୩ ମାର୍ଚ୍ଚରେ ବିଭିନ୍ନ ବିଭାଗର ଏଇଇ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ପୁଣିଥରେ କୋର୍ଟରେ ଚ୍ୟାଲେଞ୍ଜ କରାଯିବାରୁ ଏହାକୁ ମଧ୍ୟ ରଦ୍ଦ କରାଯାଇଥିଲା। ଏହା ବିରୋଧରେ ସରକାର ସୁପ୍ରିମକୋର୍ଟ ଯାଇଥିଲା ବେଳେ ଓପିଏସ୍‌ସି ସହାୟତାରେ ନିୟମାବଳୀରେ ସଂଶୋଧନ ଅଣାଯାଇଥିଲା। ନିଯୁକ୍ତି ପ୍ରକ୍ରିୟାରେ ଗେଟ୍‌ ସ୍କୋର ୯୦ ପ୍ରତିଶତ ଓ ସାକ୍ଷାତକାରକୁ ୧୦ ପ୍ରତିଶତ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ନେଇ ୨୦୨୩ ଡିସେମ୍ବରରେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ପୁଣି ଗେଟ୍‌ ପ୍ରକ୍ରିୟାକୁ ବିରୋଧ କରି କେତେକ ଆଶାୟୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ସରକାର ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରି ଆଉ ଅତିରିକ୍ତ ୩୪୮ ପଦବି ଯୋଡ଼ିଥିଲେ। ଏହି ଅତିରିକ୍ତ ପଦବିକୁ ଅନ୍ୟ ଜଣେ ଆଶାୟୀ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବିଜ୍ଞପ୍ତି ପ୍ରକାଶ ବେଳେ ତାଙ୍କ ବୟସ ୨୦ ବର୍ଷ ହୋଇଥିଲା ବେଳେ ସଂଶୋଧିତ ବିଜ୍ଞପ୍ତି ବାହାରିବା ପରେ ତାଙ୍କୁ ୨୧ ବର୍ଷ ହୋଇସାରିଥିଲା। ତେଣୁ ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସୁଯୋଗ ମିଳୁ ବୋଲି ସେ ପ୍ରାର୍ଥନା କରିଥିଲେ। ତେବେ ବିଭିନ୍ନ ପର୍ଯ୍ୟାୟ ଶୁଣାଣି ଚାଲିବା ସମୟ‌ରେ ୨୦୨୪ ଜୁଲାଇ ମାସରେ ୭୯୪ ପ୍ରାର୍ଥୀଙ୍କର ସାକ୍ଷାତକାର ଶେଷ ହୋଇଥିଲା। 

ଏହି ପ୍ରକ୍ରିୟାରେ ଗେଟ୍‌ ପଦ୍ଧତିକୁ ବଜାୟ ରଖିବା ସହ ନୂଆ ଆବେଦନକାରୀଙ୍କୁ ସୁଯୋଗ ଦେବା ପାଇଁ ଓପିଏସ୍‌ସିକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଏପ୍ରିଲ୍‌ରେ ଓପିଏସ୍‌ସି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରି ୨୦୨୪-୨୫ରେ ଗେଟ୍‌ ସ୍କୋର୍‌ ସହିତ ନୂଆ ‌ଆବେଦନ ପାଇଁ ଦରଖାସ୍ତ ଆହ୍ବାନ କରିଥିଲା। ଏଥିରେ ସମସ୍ତଙ୍କ ପାଇଁ ଆବେଦନ କରିବାକୁ ସୁଯୋଗ ଥିଲେ ମଧ୍ୟ ଏହାକୁ ବାତିଲ କରିବାକୁ ପୁଣି କିଛି ଆବେଦନକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ନିଯୁକ୍ତି ପ୍ରକ୍ରିୟାରେ କୌଣସି ରହିତାଦେଶ ଦେବାକୁ କୋର୍ଟ ମନା କରିଥିଲେ। ସରକାର ମଧ୍ୟ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଶେ‌ଷ କରିବାକୁ ଓପିଏସ୍‌ସିକୁ ଏକାଧିକଥର ନିର୍ଦ୍ଦେଶ ଦେଇସାରିଲେଣି। ଆବେଦନର ସର୍ବାଧିକ ବୟସସୀମାକୁ ୩୨ରୁ ୪୨ ବର୍ଷକୁ ସରକାର ବଢ଼ାଇଛନ୍ତି। ତେଣୁ କିଛି ଆଶାୟୀ ପୁଣି କୋର୍ଟରେ ମାମଲା ଦାୟର କରିଥିଲେ। ଏହାକୁ ବିଚାର କରି ଏହି ଧରଣର ଆଶାୟୀଙ୍କ ପାଇଁ ପାଖାପାଖି ୮୦ଟି ସିଟ୍‌ ସଂରକ୍ଷିତ କରି ରଖିବାକୁ ମଧ୍ୟ କୁହାଯାଇଛି। ତେବେ ଓପିଏସ୍‌ସିର ନିରବତା ଯୋଗୁଁ ଗୋଟିଏ ପରେ ଗୋଟିଏ ମାମଲାରେ ନିଯୁକ୍ତିପ୍ରକ୍ରିୟା ଛନ୍ଦି ହେବାରେ ଲାଗିଛି। କୌଣସି ଅଦାଲତ ଅଙ୍କୁଶ ନଥିବା ବେଳେ ତୁରନ୍ତ ଏହି ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ସରକାର ଓ ଓପିଏସ୍‌ସି ପଦକ୍ଷେପ ନେବାକୁ ଆଇନଜୀବୀ ରଜତ କୁମାର ମିଶ୍ର ଦାବି କରିଛନ୍ତି।