ସୋନପୁର/ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ରେ ଗତ ପ୍ରାୟ ବର୍ଷେ ହେବ ଦୁର୍ନୀତି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ପୁଣି ଜଣେ ଯନ୍ତ୍ରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ଭାପୁର ବ୍ଲକ୍ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପୂର୍ବରୁ କାର୍ଯ୍ୟରତ ଥିବା ବୃନ୍ଦାବନ ବରିହାଙ୍କୁ ମନରେଗା ଦୁର୍ନୀତି ମାମଲାରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।
ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ଚିଠି ଅନୁଯାୟୀ ବର୍ତ୍ତମାନ ସୋନପୁର ଜିଲ୍ଲା ତରଭା ଡିଭିଜନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଶ୍ରୀ ବରିହାଙ୍କୁ ନିଲମ୍ବନ କରାଯିବା ସହିତ ଭୁବନେଶ୍ୱର ସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ରିପୋର୍ଟ କରିବା ନିମନ୍ତେ କୁହାଯାଇଛି। ଏଥିସହିତ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଶ୍ରୀ ବରିହା ଭାପୁର ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବାବେଳେ ମନରେଗାରେ ନିର୍ମିତ ବହୁ ପ୍ରକଳ୍ପରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ନୟାଗଡ଼ ଜିଲ୍ଲା ପ୍ରଶାସନ ତଦନ୍ତ କରିବାରୁ ଶ୍ରୀ ବରିହାଙ୍କ ସମ୍ପୃକ୍ତି ତଥା ସହଯୋଗ କାରଣରୁ ରାଜ୍ୟ ରାଜକୋଷର ବିପୁଳ କ୍ଷତି ସାଧନ ହୋଇଥିବା ଜଣାପଡ଼ିଛି। ସେତେବେଳେ ଏହି ଘଟଣା ନୟାଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଜିଲ୍ଲା ପ୍ରଶାସନର ତଦନ୍ତ ପରେ ଶତାଧିକ ପ୍ରକଳ୍ପର ଚିହ୍ନବର୍ଣ୍ଣ ମିଳିନଥିବା ବେଳେ କାଗଜପତ୍ରରେ ଫଲସ୍ ବିଲ ହୋଇଥିବା ମଧ୍ୟ ସାମ୍ନାକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/subern.jpg)