ପୋଲସରା: ସବ୍‌ସିଡି ବିଲ୍‌ ପାସ୍‌ କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଗଞ୍ଜାମଜିଲ୍ଲା ପୋଲସରା ବ୍ଲକ୍‌ ସହକାରୀ ମତ୍ସ୍ୟ ଅଧିକାରୀ ସୁରେଶ କୁମାର ବେହେରା। ସେ ଫୋନ୍‌-ପେରେ ୮ହଜାର ଟଙ୍କା ନେବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଏହାପରେ ଭିଜିଲାନ୍ସ ଟିମ୍‌ ପୋଲସରା ସହରର ବାପୁଜୀ ନଗରସ୍ଥିତ ଭଡ଼ା ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ କରି କାଗଜପତ୍ର ଜବତ କରିବା ସହ ଅଧିକ ଖୋଳତାଡ଼ ଜାରି ରଖିଛି। ପୋଲସରାସ୍ଥିତ କାର୍ଯ୍ୟାଳୟରୁ ନଗଦ ୫୦ହଜାର ଟଙ୍କା ଓ ଭଡ଼ା ଘରୁ ୧ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଏଥି ସହିତ ନିଜ ପୈତୃକ ଗ୍ରାମ ବରକୁଳରେ ମଧ୍ୟ ଚଢ଼ଉ ଚାଲିଥିବା ସୂଚନା ମିଳିଛି। 

Advertisment

ମତ୍ସ୍ୟ ବିଭାଗର ଏକ ଯୋଜନାରେ ଜଣେ ହିତାଧିକାରୀ ମାଛ ଚାଷ ଆରମ୍ଭ କରିଥିଲେ। ଯୋଜନାରେ ମୋଟ ୧.୩୮ ଲକ୍ଷ ସବ୍‌ସିଡି ବ୍ୟବସ୍ଥା ରହିଛି। ମାଛ ଚାଷ ପାଇଁ ସହକାରୀ ମତ୍ସ୍ୟ ଅଧିକାରୀ ସୁରେଶଙ୍କ ଜରିଆରେ ଭଞ୍ଜନଗରରୁ ୪୩ହଜାର ଟଙ୍କାର ମାଛ ଜାଆଁଳ କ୍ରୟ କରାଯାଇଥିଲା। ତା’ର ସବ୍‌ସିଡି ବିଲ୍‌ ଦେବାରେ ସହକାରୀ ମତ୍ସ୍ୟ ଅଧିକାରୀ ବିଳମ୍ବ କରିଥିଲେ। ସବସିଡି ବିଲ୍‌ ପାଇଁ ସେ ୮ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। 

ଆଜି ସଂଧ୍ୟାରେ ହିତାଧିକାରୀ ସହକାରୀ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଫୋନ୍‌-ପେରେ ୮ହଜାର ଟଙ୍କା ପଠାଇବା ପରେ ଭିଜିଲାନ୍ସ ବିଭାଗ ସେଠାରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ଭିଜିଲାନ୍ସ ଟିମ୍‌ ସହକାରୀ ମତ୍ସ୍ୟ ଅଧିକାରୀ ସୁରେଶଙ୍କୁ ଗିରଫ କରିଛି। ଚଢ଼ଉ ସମୟରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଡିଏସ୍‌ପି ବୈଦେହୀ ବେହେରା, ଇନ୍‌ସ୍ପେକ୍ଟର୍‌ ସୌମ୍ୟ ପଣ୍ଡା ଓ ଶରତ ପାତ୍ର, ଏଏସ୍‌ଆଇ ସଂଜୀବ ରେଡ୍ଡୀ, ଦୁର୍ଗାପ୍ରସାଦ ହୋତା ସାମିଲ ଥିଲେ।