ରାଉରକେଲା: କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟରେ ମଦ ପିଇ ଡ୍ୟୁଟି କରିବା ସହକାରୀ ନିର୍ଦ୍ଦେଶକ ଇଂ. ବିବେକାନନ୍ଦ ନାଏକଙ୍କୁ ମହଙ୍ଗା ପଡ଼ିଛି। ମଙ୍ଗଳବାର କାର୍ଯ୍ୟାଳୟରେ ସିଟୁ କର୍ମକର୍ତ୍ତା ଓ ଇଂ. ନାୟକଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ପାଟିତୁଣ୍ଡ ହୋଇଥିଲା। ବିଭାଗୀୟ ଉଚ୍ଚ ଅଧିକାରୀ ତଥା ଉପନିର୍ଦ୍ଦେଶକ ବିଭୂପ୍ରସାଦ ଯେତେ ବୁଝାସୁଝା କରିଥିଲେ ହେଁ ପରିସ୍ଥିତି ଶାନ୍ତ ପଡ଼ିନଥିଲା। କଥା ପହଞ୍ଚିଥିଲା ଉଦିତନଗର ଥାନାରେ। ସୂଚନା ପାଇ ଉଦିତନଗର ପୁଲିସ ପିସିଆର୍ ଭ୍ୟାନ୍ରେ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଇଂ. ନାଏକଙ୍କୁ ତାଙ୍କ ସିଟ୍ରୁ ଥାନାକୁ ଉଠାଇ ନେଇଥିଲା। କିଛି ସମୟ ବସିବା ପରେ ଇଂ. ଶ୍ରୀ ନାୟକଙ୍କୁ ମଦ ପିଇଛନ୍ତି କି ନାହିଁ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସେ ମଦ ପିଇଥିବା ସ୍ପଷ୍ଟ ହୋଇଥିଲା। ଥାନା ଅଧିକାରୀ ରାମପ୍ରସାଦ ନାଗ କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ବିଭୁପ୍ରସାଦଙ୍କ ଉପସ୍ଥିତିରେ ଇଂ. ନାୟକଙ୍କୁ ଏମିତି ନ କରିବାକୁ କହିଥିଲେ। କାର୍ଯ୍ୟାଳୟରେ ନିଶାସେବନ କରି ଡ୍ୟୁଟି ନ କରିବାକୁ ଇଂ. ନାୟକଙ୍କୁ ତାଗିଦ କରି ଥାନାରୁ ଛାଡ଼ିଥିଲେ। ଉପନିର୍ଦ୍ଦେଶକ ବିଭୁପ୍ରସାଦ ଇଂ. ନାଏକଙ୍କୁ ଥାନାରୁ କାର୍ଯ୍ୟାଳୟକୁ ଆଣିଥିଲେ।
ସୂଚନା ମୁତାବକ ନଭେମ୍ବର ଶେଷ ସପ୍ତାହରେ କଲୁଙ୍ଗା ଶିଳ୍ପାଞ୍ଚଳରେ ଏକ କାରଖାନା ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। କାରଖାନାରେ ସୁରକ୍ଷାଜନିତ ତ୍ରୁଟି ପ୍ରଦିବାଦରେ ସିଟୁ ପକ୍ଷରୁ ଉଦିତନଗରସ୍ଥ କାରଖାନା ଓ ବାର୍ଷିକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଚେତାବନୀ ଦିଆଯାଇଥିଲା। ମଙ୍ଗଳବାର ଅପରାହ୍ନ ୪ଟାରେ ସିଟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତିଙ୍କ ସମେତ ଶ୍ରମିକ ନେତା ଜହାଙ୍ଗୀର ଅଲୀ, ଅଜିତ ଏକ୍କା, ଯଯାତୀକେଶରୀ ସାହୁ, ସମ୍ବିଦ ସାହୁ ପ୍ରମୁଖ କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ବିଭୁପ୍ରସାଦଙ୍କୁ ଭେଟିଥିଲେ। ଆଜି ପର୍ଯ୍ୟନ୍ତ ଶିଳ୍ପାଞ୍ଚଳର କାରଖାନା ଗୁଡ଼ିକରେ ଶ୍ରମିକଙ୍କ ସୁରକ୍ଷା ସମ୍ପର୍କରେ କଣ ପଦକ୍ଷେପ ନିଆଯାଇଛି ପଚାରିଥିଲେ।
ଉପନିର୍ଦ୍ଦେଶକ ବିଭୁପ୍ରସାଦ ଏ ସଂପର୍କରେ ଆଲୋଚନା ପାଇଁ ସହକାରୀ ନିର୍ଦ୍ଦେଶକ ଇଂ. ନାଏକଙ୍କୁ ନିଜ ପ୍ରକୋଷ୍ଠକୁ ଡାକିଥିଲେ। କିଛି ସମୟ ବିଳମ୍ବରେ ଉପନିର୍ଦ୍ଦେଶକଙ୍କ ଚ୍ୟାମ୍ବରରେ ପହଞ୍ଚି ଶ୍ରୀ ନାଏକ ସେଠାରେ ବସିଥିବା ସିଟୁ ନେତାମାନଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ। କାରଖାନା ଦୁର୍ଘଟଣାରେ ମ୍ୟାନେଜମେଣ୍ଟ କ’ଣ କରିବ? କାରଖାନା ଓ ବାଷ୍ପିତ କାର୍ଯ୍ୟାଳୟ କ’ଣ କରିପାରିବ ବୋଲି ଓଲଟା ପ୍ରଶ୍ନ କରିଥିଲେ। ସିଟୁ ନେତାମାନେ ଏହାର ପ୍ରତିବାଦ କରି ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ବଢ଼ିଥିଲା। ଉତ୍ତେଜନା ପ୍ରକାଶ ପାଇବାରୁ ଉଦିତନଗର ପୁଲିସ ପହଞ୍ଚି ଇଂ. ନାୟକଙ୍କୁ ଉଠାଇ ନେଇଥିଲା। ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ସଂପର୍କରେ ଉପନିର୍ଦ୍ଦେଶକ ବିଭୁପ୍ରସାଦ କହିଛନ୍ତି, ଇଂ. ନାୟକ ମଦ ପିଇଥିଲେ କି ନାହିଁ, କହିପାରିବେ ନାହିଁ। ମାମୁଁଙ୍କ ମୃତ୍ୟୁ ଯୋଗୁ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା। ଥାନା ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି, ମଦ ପିଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ତାଗିଦ କରି ଥାନାରୁ ଛଡାଯାଇଛି। ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ କହିଛନ୍ତି, ଏଭଳି ସରକାରୀବାବୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।