ନ୍ୟାୟ ପାଇଲେ ଆସିଷ୍ଟାଣ୍ଟ ପ୍ରଫେସର୍‌, ଏନ୍‌ଓସି ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସରକାରୀ ମେଡିକାଲ କଲେଜରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଜଣେ ଡାକ୍ତରଙ୍କୁ ଭୁବନେଶ୍ବର ଏମ୍ସରେ ନିଯୁକ୍ତି ସଂପର୍କିତ ସାକ୍ଷାତକାର ପାଇଁ ନୋ-ଅବଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ଦିଆ ନ ଯିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏନଓସି ସଂପର୍କିତ ଆବେଦନ ଖାରଜ ନିଷ୍ପତ୍ତି ଆବେଦନକାରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବା ସହିତ ଅଯୌକ୍ତିକ ବୋଲି ହାଇକୋର୍ଟ କହିଛନ୍ତି। ୭ ଦିନ ଭିତରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଆବେଦନକାରୀଙ୍କୁ ଏନଓସି ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ସ୍ନେହଲତା ମଲ୍ଲିକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ସଫଳତା ହାସଲ କରି ଆବେଦନକାରୀ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ୨୦୧୯ରେ ଯୋଗ ଦେଇଥିଲେ। ୨୦୨୦, ନଭେମ୍ବର ୧୩ରେ ଭୁବନେଶ୍ବର ଏମ୍ସର ବିଭିନ୍ନ ବିଭାଗରେ ସିଧାସଳଖ ଫାକଲ୍ଟି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନକାରୀ ଏଥିପାଇଁ ଦରଖାସ୍ତ କରିଥିଲେ। ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା ଯେ ସାକ୍ଷାତକାର ସମୟରେ ପ୍ରାର୍ଥୀଙ୍କୁ ସେ କାର୍ଯ୍ୟ କରୁଥିବା ଅନୁଷ୍ଠାନରୁ ଏନଓସି ଦାଖଲ କରିବାକୁ ପଡିବ। ୨୦୨୦, ନଭେମ୍ବର ୨୫ରେ ଆବେଦନକାରୀ ଏନଓସି ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦରଖାସ୍ତ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ତଥା ଡିନ୍ ଏହି ଦରଖାସ୍ତକୁ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ(ଡିଏମଇଟି)ଙ୍କ ନିକଟକୁ ପଠାଇଥିଲେ। ୨୦୨୦, ଡିସେମ୍ବର ୧୫ରେ ଡିଏମଇଟି ଆବେଦନକାରୀଙ୍କୁ ଏନଓସି ଜାରି ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସରକାରୀ ମେଡିକାଲ କଲେଜରେ ଅଧ୍ୟାପକଙ୍କ ସ୍ବଳ୍ପ ସଂଖ୍ୟାକୁ କାରଣ ଭାବେ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଏହି ଦରଖାସ୍ତକୁ ୨୦୨୧, ଜାନୁଆରି ୨୧ରେ ଖାରଜ କରିଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର