କଟକ : ସହକାରୀ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏ କ୍ଷେତ୍ରରେ ପଦକ୍ଷେପ ନେବାକୁ ବିଭାଗୀୟ ସଚିବଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ଏଭଳି ଅବହେଳା ଟ୍ରିବ୍ୟୁନାଲ ପ୍ରତି ଅସମ୍ମାନ ପ୍ରଦର୍ଶନ ବୋଲି ମଧ୍ୟ ହାଇକୋର୍ଟ ଉଲ୍ଲେଖ କରିଛନ୍ତି। ସୋସିଆଲ ଆଣ୍ଡ୍ ପ୍ରିଭେଣ୍ଟିଭ୍ ମେଡିସିନ୍ ବିଭାଗରେ ସହକାରୀ ପ୍ରଫେସର ନିଯୁକ୍ତି ପ୍ରସଂଗରେ ୨୦୧୭, ଅଗଷ୍ଟ ୩୦ର ଅଦାଲତି ନିର୍ଦ୍ଦେଶ ପାଳନ କ୍ଷେତ୍ରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ଅବହେଳାକୁ ନେଇ ହାଇକୋର୍ଟ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ହାଇକୋର୍ଟ କହିଛନ୍ତି, ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍)ଙ୍କ ନିର୍ଦ୍ଦେଶକୁ ଉପର ଅଦାଲତରେ କର୍ତ୍ତୃପକ୍ଷ ନା ଚାଲେଞ୍ଜ କରୁଛନ୍ତି, ନା ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରୁଛନ୍ତି। ବ୍ୟକ୍ତିଗତ ହାଜିରା ଓ ଜାମିନଯୋଗ୍ୟ ଗିରଫ ପରୱାନା ନିର୍ଦ୍ଦେଶ ପରେ ମଧ୍ୟ ପୂର୍ବ ଆଦେଶ କାର୍ଯ୍ୟକାରୀ କରାଯାଉ ନାହିଁ। ଏହା ଏକ ଖରାପ ପରିସ୍ଥିତି ପ୍ରଦର୍ଶନ କରୁଛି ଓ ଟ୍ରିବୁନାଲଙ୍କ ନିର୍ଦ୍ଦେଶ ପ୍ରତି ଅସମ୍ମାନ। ଏଭଳି ସ୍ଥିତିରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ଯଦି ଏଥିରେ ଅବହେଳା ହୁଏ ତେବେ ପରବର୍ତ୍ତୀ ଶୁଣାଣି ସମୟରେ ସ୍ବାସ୍ଥ୍ୟ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ସ୍ପଷ୍ଟୀକରଣ ଦେବେ। ଜାଣିଶୁଣି ଅଦାଲତଙ୍କ ଆଦେଶ ଉଲ୍ଳଂଘନ ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ଆଇନ ଅନୁସାରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେ ନେଇ ସ୍ବାସ୍ଥ୍ୟ ସଚିବ ଉତ୍ତର ରଖିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଶର୍ମିଷ୍ଠା ପାଢୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨, ଜାନୁଆରି ୧୪କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୫-୧୬ରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ତିନି ପ୍ରମୁଖ ବଡ଼ ଡାକ୍ତରଖାନାର ବିଭିନ୍ନ ବିଭାଗରେ ସୁପରସ୍ପେଶାଲିଟି, ସ୍ପେଶାଲିଟି ବର୍ଗରେ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ଦୁଇଟି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୬, ଜୁନ ୮ରେ ଦୁଇ ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାର ଫଳ ପ୍ରକାଶ ପାଇଥିଲା। ସୋସିଆଲ ଆଣ୍ଡ ପ୍ରିଭେଣ୍ଟିଭ୍ ମେଡିସିନ୍ ବିଭାଗରେ ଭିମ୍‌ସାର ପାଇଁ କୃତକାର୍ଯ୍ୟ ହୋଇଥିବା ତିନି ଜଣ ପ୍ରାର୍ଥୀ ମଧ୍ୟ ଏସ୍‌ସିବି ଓ ଏମ୍‌କେସିଜି ପାଇଁ ଯୋଗ୍ୟତା ଅର୍ଜନ କରି ମେଧା ତାଲିକାରେ ସ୍ଥାନ ପାଇଥିଲେ। ଦୁଇ ମେଧା ତାଲିକାରେ ଏହି ତିନି ପ୍ରାର୍ଥୀ ସମାନ ଥିଲେ। ଫଳରେ ପରବର୍ତ୍ତୀ ସମୟରେ ଭିମସାରରେ କେତେକ ପଦ ପୂରଣ ହୋଇ ପାରି ନଥିଲା। ଏଭଳି ଅବସ୍ଥା ଅନ୍ୟ କେତେକ ବିଭାଗରେ ମଧ୍ୟ ଦେଖା ଦେଇଥିଲା। ଖାଲି ପଡିଥିବା ପଦବିରେ ନିଯୁକ୍ତି ପ୍ରସଂଗ ନେଇ ଆବେଦନକାରୀ ସ୍ୟାଟ୍‌ଙ୍କ ଦ୍ବାରସ୍ଥ ହୋଇଥିଲେ।ୟ ସ୍ୟାଟ୍ ଉଚ୍ଛେଦ ପରେ ଏହି ଅଦାଲତ ଅବମାନନା ମାମଲାର ହାଇକୋର୍ଟରେ ଶୁଣାଣି ଚାଲିଛି। ସ୍ବାସ୍ଥ୍ୟ ବିଭାଗ ସ୍ୟାଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ପୁଣି ସମୟ ଲୋଡିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଛନ୍ତି।