କଟକ : ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର(ଏପିପି) ନିଯୁକ୍ତି ପରୀକ୍ଷାକୁ ନେଇ ରୁଜୁ ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ୍(ସ୍ୟାଟ୍) ଓଡିଶା ଲୋକସେବା ଆୟୋଗ(ଓପିଏସ୍ସି), ଆଇନ ସଚିବ ଓ ଗୃହ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ମାମଲାର ଫଳାଫଳ ଉପରେ ନିଯୁକ୍ତିର ଭବିଷ୍ୟତ ନିର୍ଭର କରିବ ବୋଲି ସ୍ୟାଟ୍ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସ୍ୟାଟ୍ର ପ୍ରଶାସନିକ ସଦସ୍ୟ ଏମ୍.ଏମ୍.ପ୍ରହରାଜ ଓ ବିଚାରବିଭାଗୀୟ ସଦସ୍ୟ ଜି.ଆର୍.ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଅମ୍ଳାନ ପଟ୍ଟନାୟକ ଓ ଅନ୍ୟ ୪ ଜଣଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଓପିଏସ୍ସି ପକ୍ଷରୁ ଆଇନଜୀବୀ ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ସତ୍ୟଜିତ ବେହେରା ତାଙ୍କୁ ସହାୟତା କରୁଛନ୍ତି। ଏପିପି ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ରହିଛି ଓ ୧୪ଟି ପ୍ରଶ୍ନ ପାଠ୍ୟକ୍ରମ ବାହାରୁ ପଡିଛି ବୋଲି ଆବେଦନକାରୀ ଅଭିଯୋଗ କରି ଏହି ମାମଲା ରୁଜୁ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୨ଟି ଏପିପି ପଦ ପୂରଣ ପାଇଁ ୨୦୧୭ରେ ଓପିଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବା ପରେ ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ ଡକାଯାଇଥିଲା। ୨୦୧୭, ଡିସେମ୍ବର ୧ରେ ଓପିଏସ୍ସି ଚୂଡାନ୍ତ ଫଳ ପ୍ରକାଶ କରିଥିଲା। ଚୂଡାନ୍ତ ତାଲିକାରେ ସ୍ଥାନ ପାଇଥିବା ୧୯୨ଜଣଙ୍କ ନାଁ ଓପିଏସ୍ସି ନିଯୁକ୍ତି ପାଇଁ ସୁପାରିଶ କରିଥିଲା।