ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମବାୟ ସମିତି ସମୂହର ଉପସହକାରୀ ନିବନ୍ଧକ

ସୋନପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୋନପୁର ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟର ଉପସହକାରୀ ନିବନ୍ଧକ ଆଶିଷ ରାଉତ। ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ସୋନପୁର ବ୍ଲକ୍‌ ଲଛିପୁର ପେକ୍ସକୁ ମଣ୍ଡି ପରିଚାଳନା ପାଇଁ ୫୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଏହି ଟଙ୍କା ବିଲ୍ କରିବା ପାଇଁ ଲଛିପୁର ପେକ୍ସ ସଂପାଦକ ମଞ୍ଜୟ ଧରୁଆ ଉପସହକାରୀ ନିବନ୍ଧକ ଶ୍ରୀ ରାଉତଙ୍କୁ କହିଥିଲେ। ତେବେ ଏହି ବିଲ୍ କରିବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ଧରୁଆ ଏତେ ଟଙ୍କା ଦେବାକୁ ଅସମର୍ଥ ଥିବା କହିବାରୁ ୧୭ ହଜାର ଟଙ୍କା ଦେବାକୁ ଉପସହାକରୀ ନିବନ୍ଧକ ଶ୍ରୀ ରାଉତ କହିଥିଲେ ଏବଂ ଏତିକିରେ କଥା ଛିଣ୍ଡିଥିଲା।

ଏହାକୁ ନେଇ ପେକ୍ସ ସଂପାଦକ ଶ୍ରୀ ଧରୁଆ ଭିଜିଲାନ୍ସରେ ଲିଖିତ ଅଭିଯୋଗ କଲାପରେ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଜାଲ ବିଛାଇ ଥିଲା। ମଙ୍ଗଳବାର ଶ୍ରୀ ଧରୁଆ ସୋନପୁର ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟରେ ଶ୍ରୀ ରାଉତଙ୍କୁ ୧୭ ହଜାର ଟଙ୍କା ଦେଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଅଭିଯୁକ୍ତ ଶ୍ରୀ ରାଉତଙ୍କଠାରୁ ଲାଞ୍ଚ ଟଙ୍କା ଜବତ୍ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର