ନୟାଗଡ଼ : ନୟାଗଡ଼ ଜିଲ୍ଲା ଯୋଗାଣ ବିଭାଗ ସହକାରୀ ଯୋଗାଣ ଅଧିକାରୀ(ଏସିଏସ୍‌ଓ) ଜୟନ୍ତ କୁମାର ଦାସ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ଶନିିବାର ସକାଳୁ ସକାଳୁ ଭିଜିଲାନ୍‌ସ ଭୁବନେଶ୍ବରର ଏକ ଟିମ୍‌ ନୟାଗଡ଼ରେ ଚଢ଼ଉ କରିଥିଲେ। ଜିଲ୍ଲାପାଳଙ୍କ କ୍ୟାମ୍ପସ୍‌ ମଧ୍ୟରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟ ସମେତ ଶ୍ରୀ ଦାସଙ୍କ ୪ଟି ସ୍ଥାନରେ ଥିବା ଘର ଉପରେ ଚଢ଼ଉ କରାଯାଇଥିଲା। ୨ ଲକ୍ଷ ୭୪ ହଜାର ୭୫ ନଗଦ ଟଙ୍କା ଜବତ୍‌ ହୋଇଥିବା ପ୍ରେସ୍‌ ରିଲିଜ୍‌ ଜରିଆରେ ଭିଜିଲାନ୍‌ସ ବିଭାଗ ସୂଚନା ଦେଇଛି।

Advertisment

ନୟାଗଡ଼ ସହରାଞ୍ଚଳରେ ଅବସ୍ଥିତ ୪ ତାଲା ବିଶିଷ୍ଟ ଲେଙ୍କୁଡ଼ିପଡ଼ାରେ ଥିବା ବାସଭବନ, ଓଡ଼ଗାଁ ବ୍ଲକ୍‌ ଗାନ୍ଧୀସାହି ‌ଲେନ୍‌ରେ ଥିବା ଦୁଇ ମହଲା ଘର, ପୈତୃକ ଗ୍ରାମ ନୟାଗଡ଼ ବ୍ଲକ୍‌ ଅଧୀନ ବିରୁଡ଼ା ଗ୍ରାମ ଘରେ ମଧ୍ୟ ଚଢ଼ଉ ହୋଇଛି। ଏଥି ସହିତ ୯ଟି ପ୍ଲଟ ମଧ୍ୟ ମିଳିଛି। ଏଥିରୁ ଗୋଟିଏ ପ୍ଲଟ୍‌ ଭୁବନେଶ୍ବରରରେ ଥିବା ବେଳେ, ବାକି ସମସ୍ତ ପ୍ଲଟ୍‌ ନୟାଗଡ଼ରେ ରହିଥିବା ଜଣାପଡ଼ିଛି। ଗୋଟିଏ ଚାରିଚକିଆ ଯାନ ସହିତ ୩ଟି ଦୁଇଚକିଆ ଗାଡ଼ି, ୯ ଲକ୍ଷ ୩୦ ହଜାର ଟଙ୍କାର ବ୍ୟାଙ୍କ୍‌ ଜମା, ୮ ଲକ୍ଷ ୬୪ ହଜାର ଟଙ୍କାର ବୀମା, ୪ ଲକ୍ଷ ୯୨ ହଜାର ଟଙ୍କାର ସୁନା, ରୂପା ଅଳଙ୍କାର ଜବତ କରାଯାଇଛି। ସମୁଦାୟ ସମ୍ପତ୍ତିର ମୂଲ୍ୟ ୨ କୋଟି ୩୧ ଲକ୍ଷ ଟଙ୍କା ବୋଲି ଭିଜିଲାନ୍‌ସ ସୂତ୍ରରୁ ସୂଚନା ମିଳିଛି। ଶେଷରେ କାର୍ଯ୍ୟାଳୟ ଯାଞ୍ଚ କରାଯାଇଥିଲା। ସେଠାରୁ ଜୟନ୍ତଙ୍କୁ ଭିଜିଲାନ୍‌ସ ଟିମ୍‌ ଉଠାଇ ନେଇଥିବା ଖବର ମିଳିଛି।

ଉ‌‌‌ଲ୍ଲେଖଯୋଗ୍ୟ, ନାନା ଦୁର୍ନୀତି ନେଇ ଶ୍ରୀ ଦାସଙ୍କ ନାମରେ ଅଭିଯୋଗ ଆସିଥିଲା। ଏପରିକି ଗତ ୨ ତାରିଖରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କର ବଦଳି ନିର୍ଦ୍ଦେଶ ବାହାରିଥିଲା। ସେ ନୂଆପଡ଼ା ଜିଲ୍ଲାରେ ଯୋଗ ଦେଇଥାନ୍ତେ।