ବଣ୍ଡା ଝିଅ ‘ଶାନ୍ତି’ ପାଇଁ ବଢ଼ିଲା ସହାୟତ‌ାର ହାତ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ନିର୍ଦ୍ଦେଶ, ପାଠପଢ଼ା ଦାୟିତ୍ବ ନେଲା ପ୍ରଶାସନ

ମାଲକାନଗିରି : ଉଚ୍ଚଶିକ୍ଷା ପାଇଁ ଆଉ ବାଟ ଓଗାଳିବନି ଦାରିଦ୍ର୍ୟ। ସାକାର ହେବ ବଣ୍ଡା ଝିଅ ଶାନ୍ତିର ସ୍ବପ୍ନ। ମାଟ୍ରିକ ପାସ୍ କରିବା ପରେ କଲେଜରେ ପଢ଼ିବା ପାଇଁ ମୂଲ ଲାଗି ଅର୍ଥ ସଞ୍ଚୟ କରୁଥିବା ଶାନ୍ତି ପାଇଁ ବଢ଼ିଛି ସହାୟତାର ହାତ। ଆଜି ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ଦୃଢ଼ମନା ଝିଅ ‘ଶାନ୍ତି’ର ପାଠପଢ଼ା ପାଇଁ ବହୁ ବଦାନ୍ୟ ବ୍ୟକ୍ତି ସହଯୋଗ କରିବାକୁ ପାଇଁ ପ୍ରତିଶ୍ରୁତି ଦେବା ସହ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ତୁରନ୍ତ ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶାନ୍ତିର ପାଠପଢ଼ା ଦାୟିତ୍ବ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଶାନ୍ତି ସଂପର୍କରେ ତଦନ୍ତ କରି କଲେଜରେ ପାଠ ପଢ଼ାଇବା ପାଇଁ ସମସ୍ତ ସହଯୋଗ କରିବାକୁ ଖଇରପୁଟ ବ୍ଲକ୍‌ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବଣ୍ଡା ଯୁବତୀ ଶାନ୍ତିର ସଂଘର୍ଷ ସଂପର୍କରେ ଅଧିକ ତଥ୍ୟ ହାସଲ ଲାଗି ଆଜି ଆମ ପ୍ରତିନିଧି ପୁଣିଥରେ ବଣ୍ଡାପଡ଼ା ଗ୍ରାମକୁ ଯାଇଥିଲେ। ବଣ୍ଡାଘାଟିରୁ ଦେଢ଼ କିଲୋମିଟର ଚାଲି ଚାଲି ଶାନ୍ତିର ଗ୍ରାମ ବଣ୍ଡାପଡ଼ାରେ ପହଞ୍ଚିବା ବେଳକୁ ଶାନ୍ତି ଘରେ ନ ଥିଲେ। କ‌ା‌ରଣ ସେ ଆଜି ମଧ୍ୟ ମୂଲ ଲାଗିବା ପାଇଁ ନିକଟସ୍ଥ ଗ୍ରାମକୁ ଯାଇଥିଲେ । ସୂଚନା ପାଇବା ପରେ ଗ୍ରାମର କିଛି ଲୋକ ଶାନ୍ତିକୁ ଡକାଇ ଆଣିଥିଲେ। ଶାନ୍ତିଙ୍କ ଘର କହିଲେ ଗୋଟିଏ ଛୋଟିଆ ଝାଟିମାଟିର କୁଡ଼ିଆ। ବାପା ଲଛିମ ଧାଙ୍ଗଡାମାଝି ଏବଂ ମାଆ ଶୁକ୍ରି ଘର କାମରେ ବ୍ୟସ୍ତ ରହିଥିଲେ। ଏହି ଦମ୍ପତିଙ୍କ ଚାରି ଝିଅ ମଧ୍ୟରୁ ବଡ଼ ଝିଅ ବାହା ହୋଇ ଚାଲିଯାଇଥିବା ବେଳେ ଦ୍ବିତୀୟ ଝିଅ ମାମାଲି ଏବଂ ତୃତୀୟ ଝିଅ ଶାନ୍ତି ଦିନମଜୁରିଆ ଭାବେ ମୂଲ ଲାଗିବା ପାଇଁ ଏମିତି ପ୍ରାୟ ପ୍ରତିଦିନ ଆଖପାଖ ଗାଁକୁ ଯାଆନ୍ତି। ସାନ ଝିଅ ବୁଦେଇ ମାଥିଲି ବ୍ଲକ୍‌ର ବଲଦେଇଗୁଡ଼ାରେ ୯ମ ଶ୍ରେଣୀରେ ପାଠ ପଢୁଛି। ମାମଲି ଏବଂ ଶାନ୍ତି କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ଆର୍ଥିକ ସ୍ଥିତି ଭଲ ନଥିବା ଯୋଗୁଁ ଶାନ୍ତିର ବଡ଼ ଭଉଣୀ ମାମାଲି ଦଶମ ପାସ୍‌ କରି ପାଠରେ ଡୋରି ବାନ୍ଧି ଦେଇଛି। ତେଣୁ ପାଠ ପଢ଼ିବା ବଦଳରେ ଘର ଚଲାଇବା ପାଇଁ ଆଜି ବି ମାମାଲି ମୂଲ ଖଟୁଛି । କିନ୍ତୁ ନିକଟରେ ଦଶମ ଶ୍ରେଣୀ ପାସ୍ ପରେ କଲେଜରେ ପାଠ ପଢ଼ିବାକୁ ଶାନ୍ତିର ଭାରି ଇଚ୍ଛା। ମାଟ୍ରିକ ପରୀକ୍ଷାରେ ଶାନ୍ତି କମ୍ ନମ୍ବର ରଖିଥିବାରୁ କଲେଜରେ ସିଟ୍ ମିଳିବ ନାହିଁ ବୋଲି ଭାବି ନେଇଥିଲା। ଏହାଛଡ଼ା ଉଚ୍ଚ ଶିକ୍ଷା ପାଇଁ ମନ ଥିଲେ ବି ଉତ୍କଟ ଦାରିଦ୍ର୍ୟ ତା’ର ବାଟ ଓଗାଳୁଥିଲା। ତେବେ ଏଥିରେ ଭାଙ୍ଗି ନ ପଢ଼ି ମୂଲ ଲାଗି ଅର୍ଥ ସଞ୍ଚୟ କରିବାକୁ ମନ ବଳାଇଥିଲା। କଲେଜରେ ପାଠ ପଢ଼ିବାର ସୁଯୋଗ ନ ମିଳିଲେ ଦୁଇ ଭଉଣୀ କାମ କରିବାକୁ ପଡୋଶୀ ଆନ୍ଧ୍ରପ୍ରଦେଶ ଚାଲିଯିବାକୁ ବି ମନସ୍ଥ କରିଥିଲେ।

କିନ୍ତୁ ଆଜି ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ତଥା ବିଭିନ୍ନ ମହଲରୁ ସହାୟତାର ପ୍ରତିଶ୍ରୁତି ମିଳୁଥିବା ଶୁଣି ଶାନ୍ତିର ମନରେ ଉତ୍ସାହ ସୃଷ୍ଟି ହୋଇଛି। ଏଥିପାଇଁ ଶାନ୍ତି ‘ସମ୍ବାଦ’କୁ ଧନ୍ୟବାଦ ଦେବା ସହ ଆଗକୁ ପାଠ ପଢିବା ପାଇଁ ଏହା ତାଙ୍କ ମନୋବଳକୁ ଦ୍ବିଗୁଣିତ କରିଛି ବୋଲି କହିଛନ୍ତି । କିନ୍ତୁ କେବଳ ଏହି ଜଣେ ଶାନ୍ତି ନୁହେଁ, ଶାନ୍ତି ଭଳି ବଣ୍ଡାଘାଟିର ଏମିତି ଅନେକ ଝିଅ ଆଜି ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହେଉଛନ୍ତି। ମାଟ୍ରିକ୍ ପାସ କରିବା ପରେ ଆଉ ଆଗକୁ ବଢ଼ି ନ ପାରି ଗାଁରେ ମୂଲ ଲାଗୁଛନ୍ତି। ଆଉ କେତେକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ବଣ୍ଡା ସଂପ୍ରଦାୟର ବିକାଶ ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ହେଁ ଏବେବି ବିକାଶ ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଅଧିକାଂଶ ବଣ୍ଡାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି। ‌େତଣୁ ବାସ୍ତବକ୍ଷେତ୍ରରେ ଏହି ସ୍ବତନ୍ତ୍ର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ଶାନ୍ତି ପାଇଁ ପ୍ରତିଶ୍ରୁତି

ବଣ୍ଡା ଝିଅ ଶାନ୍ତିର ପାଠ ପଢ଼ିବା ସ୍ବପ୍ନ ଓ ଏଥିପାଇଁ ତା’ର ସଂଘର୍ଷକୁ ନେଇ ‘ସମ୍ବାଦ’ରେ ପ୍ରକାଶିତ ଗୋଟିଏ ଖବର ଆଜି ଅନେକ ମହତ୍‌ ଲୋକଙ୍କ ମଧ୍ୟରେ ଥିବା ମଣିଷପଣିଆକୁ ଜଗାଇ ଦେଇଛି। ବହୁ ବଦାନ୍ୟ ବ୍ୟକ୍ତି ସହୟତା ରାଶି ପଠାଇବା ପାଇଁ ସମ୍ବାଦ କାର୍ଯ୍ୟାଳୟକୁ ଫୋନ୍ କରି ଶାନ୍ତି କିମ୍ବା ତାଙ୍କ ବାପାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ମାଗିଥିଲେ। ଶାନ୍ତିଙ୍କ ବାପା ଲଛିମା ଧାଙ୍ଗଡ଼ାମାଝୀଙ୍କ ନାମରେ ଖଇରପୁଟସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟ ନମ୍ବର ହେଲା- ୮୪୦୧୦୩୬୮୪୩୩ ଏବଂ ଏହାର ଆଇଏଫ୍‌ଏସସି କୋଡ ଏସବିଆଇଏନ୍‌୦ (ଶୂନ) ଆର୍‌ଆର୍‌ୟୁକେଜିବି ବୋଲି ଜଣାପଡ଼ିଛି। ତେଣୁ ଯେଉଁମାନେ ଶାନ୍ତିଙ୍କୁ ସହାୟତା କରିବାକୁ ଚାହାନ୍ତି, ସେମାନେ ଏହି ଆକାଉଣ୍ଟରେ ଅର୍ଥରାଶି ଜମା କରିପାରିବେ।

ସମ୍ବନ୍ଧିତ ଖବର