ଭୁବନେଶ୍ବର : ରାୟଗଡ଼ାର ବିଷମ କଟକ ଭଳି ଅନୁନ୍ନତ ଅଞ୍ଚଳରେ କରୋନା ରୋଗୀଙ୍କୁ ମିଳିବ ଆମ୍ବୁଲାନ୍ସ ସେବା। ନୂଆଦିଲ୍ଲୀସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଶ୍ରା’ (ଏଏସ୍ଏସ୍ଆର୍ଏ) ପକ୍ଷରୁ ଏପରି ଏକ ମହତ୍ ଉଦ୍ୟମ ଆରମ୍ଭ ହୋଇଛି। ଆଜି ମଞ୍ଚେଶ୍ବରସ୍ଥିତ ଓଡ଼ିଶା ଡିଜେଲ୍ ଇଂଜିନ୍ସ ପ୍ରାଇଭେଟ୍ ଲିମିଟେଡ୍ ପରିସରରେ ଅନୁଷ୍ଠାନର ଉପଦେଷ୍ଟା ସସ୍ମିତା ଦଳେଇ ଓ ସେଣ୍ଟ୍ରାଲ୍ ଏକ୍ସସାଇଜ୍ ଆଣ୍ଡ୍ କଷ୍ଟମସର ପୂର୍ବତନ ଉପ ଆୟୁକ୍ତ ମହେନ୍ଦ୍ର ଚନ୍ଦ୍ର ସାହୁ ଆଶ୍ରାର ସଦସ୍ୟ ମହେଶ୍ବର ନାୟକଙ୍କୁ ଆମ୍ବୁଲାନ୍ସର ଚାବି ପ୍ରଦାନ କରିଥିଲେ।
ଆଶ୍ରା ସଂଗଠନ ୨୦୦୨ ମସିହାରୁ ଓଡ଼ିଶା, ଝାଡ଼ଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଆାସାମରେ ଅବହେଳିତ ଲୋକଙ୍କ ପାଇଁ କାମ କରି ଆସୁଥିବା ବେଳେ ଏହି ମହାମାରୀ ସମୟରେ ମାର୍ଚ୍ଚ ୧୮ ତାରିଖ ପରଠୁ ୧୮ଟି ରାଜ୍ୟର ୩ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଥିଲା। ସଂପ୍ରତି ବିଷମ କଟକର ୫ହଜାର ପରିବାର ପାଇଁ ଅନୁଷ୍ଠାନ କାମ କରୁଛି। ‘ଆଶା ହିଁ ଜୀବନ’ ଅଭିଯାନ ମାଧ୍ୟମରେ ୫ ବର୍ଷ ହେଲା ଅନେକଙ୍କୁ ଖାଦ୍ୟ, ବାସଗୃହ, ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକା ଯୋଗାଇ ଆସୁଛି। ମହେନ୍ଦ୍ର ଚନ୍ଦ୍ର ସାହୁ କହିଛନ୍ତି, ଆମ୍ବୁଲାନ୍ସ ଅଭାବରୁ ସେ ଅଞ୍ଚଳର କରୋନା ରୋଗୀ ରିକ୍ସାରେ ଯାଉଥିବାରୁ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତି କରାଇ ଦିଆଯାଉ ନାହିଁ। ପରିବହନ ଅଭାବରୁ କରୋନା ସଂକ୍ରମିତ ହୋଇ ମଧ୍ୟ ଅନେକ ହସ୍ପିଟାଲ୍ରେ ପହଞ୍ଚି ପାରୁନାହାନ୍ତି। ଏହାକୁ ହୃଦୟଙ୍ଗମ ପୂର୍ବକ ଆଦିବାସୀ ଓ ରୋଜଗାର ନଥିବା ଗୋଷ୍ଠୀମାନଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଆଶ୍ରାର ମୁଖ୍ୟ ଶୁଭଜିତ ସାହୁ କହିଛନ୍ତି, ସେଠାରେ ଏଣିକି କେହି ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେବେ ନାହିଁ। ବିଷମ କଟକର ଆଶ୍ରା ପ୍ରକଳ୍ପ ମୁଖ୍ୟ ଅନୁମା ଷଡ଼ଙ୍ଗୀଙ୍କ ମାର୍ଫତରେ ଏହା ପ୍ରଦାନ କରାଯାଇଛି। ଏହି ଅବସରରେ ଆଶ୍ରାର ଉପସଭାପତି ପ୍ରଶାନ୍ତ ଘଡ଼େଇ, ସ୍ବେଚ୍ଛାସେବୀ ଉମାଶଙ୍କର ପାତ୍ର, ରାଜକିଶୋର ଦାସ, ଶୁଭଙ୍କରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/assra-m23.jpg)