ରାସ୍ତା କାମ ତଦାରଖ ବେଳେ ଦୁର୍ଘଟଣା : ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମୃତ

ଭୁବନେଶ୍ୱର : ସିରିପୁର ଛକରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ରବି ନାରାୟଣ ରାୟ(୫୩)ଙ୍କର ମୃତ୍ୟୁ ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କ୍ରେନ୍‌କୁ ତାଙ୍କ କାର୍‌ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ହକି ଖେଳ ପାଇଁ ଚାଲିଥିବା ରାତିଅଧିଆ ରାସ୍ତା କାମକୁ ତଦାରଖ କରିବାକୁ ଯିବା ବେଳେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରଯାଇ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି ଅକାଳ ମୃତ୍ୟୁର ଖବର ପାଇ ସହକର୍ମୀମାନେ ଶୋକ ପ୍ରକାଶ କରିଛନ୍ତି। ଖବର ପାଇ ପରିବାରବର୍ଗ ମେଡିକାଲରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସକାଳେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରଥମେ ଶବକୁ ଓଡେସା(ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ଆସୋସିଏସନ) ଭବନକୁ ନିଆଯିବା ପରେ ସେଠାରେ ୫୦ରୁ ଊର୍ଦ୍ଧ୍ବ ସହକର୍ମୀ ଓ ବିଭାଗୀୟ ଅଧିକାରୀ ‌ଶେଷ ଦର୍ଶନ କରିଛନ୍ତି। ପରେ ୟୁନିଟ-୨ରେ ଥିବା ତାଙ୍କ କ୍ବାର୍ଟର(ଭିଏ-୨୫/୨)କୁ ନିଆଯାଇଥିଲା। ସେଠାରୁ ଶେଷକୃତ୍ୟ ପାଇଁ ସ୍ବର୍ଗଦ୍ବାର ନିଆଯାଇଥିଲା। ମେଡିକାଲରେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟଯନ୍ତ୍ରୀ ଶୁକେ‌ଦେବ ମେହେର, ଅଧୀକ୍ଷଣ ଯନ୍ତ୍ରୀ ରଣଜିତ ସାହୁ, ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ, ୩ ନମ୍ବର ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ହୋତା ପ୍ରମୁଖ ମେଡିକାଲରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ମୃତ ସହକାରୀ ଯନ୍ତ୍ରୀଙ୍କର ପତ୍ନୀ ଓ ଦୁଇପୁଅ ରହିଛନ୍ତି। ଘର ଯାଜପୁର ହୋଇଥିବା ବେ‌ଳେ ଦୀର୍ଘ ଦିନ ହେବ ସେ ଭୁବନେଶ୍ବରରେ ରହିଆସୁଥିଲେ। ସେକ୍ସନ-୮ର ୩ ନମ୍ବର ଡିଭିଜନ୍‌ରେ ସେ ସହକାରୀ ଯନ୍ତ୍ରୀ ଭାବରେ କାମ କରୁଥିଲେ। ସହକର୍ମୀଙ୍କ ସୂଚନା ମୁତାବକ ସେ ଅଧିକ ‌ବେଗରେ ଗାଡ଼ି ଚଳାନ୍ତି ନାହିଁ। ବରଂ ଅନ୍ୟମାନଙ୍କର ଏଭଳି ଦ୍ରୁତ ଚାଳନାକୁ ସେ ବାରଣ କରନ୍ତି। କିନ୍ତୁ କଣ ଏମିତି ହେଲା ଯେ ସେ ଦ୍ରୁତ ଗତିରେ ଚଳାଇଲେ ଏବଂ କ୍ରେନ୍‌ରେ ପିଟିଦେଲେ ସେ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଣୁ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର