ଝିଅକୁ ଚାକିରୀ କରାଇ ଦେବାର ଲୋଭ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ଉଦଳାରୁ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ

୬ମାସ ତଳର ଘଟଣା, ଆଜି ମୁହଁ ଖୋଲିଲେ ମହିଳା

ବାରିପଦା : ଚାକିରୀ ପାଇବା ପାଇଁ କିଏ କେତେ କଣ କରୁଛନ୍ତି। ଆଉ ନିଜ ଝିଅର ଚାକିରୀ ପାଇଁ ଏତିକି କରିପାରିବନି। ଏପରି ସଂଳାପ ଥିଲା ଜଣେ ଶିକ୍ଷକଙ୍କର। ଜଣେ ମହିଳାଙ୍କୁ ତାଙ୍କ ଝିଅର ଚାକିରୀ କରାଇଦେବାର ଲୋଭ ଦେଖାଇ ପୁରୀର ଏକ ଘରୋଇ ହୋଟେଲ୍‌ରେ ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇଛନ୍ତି ଜଣେ ଶିକ୍ଷକ। ପ୍ରାୟ ୬ମାସ ତଳେ ଏହି ଘଟଣା ଘଟିଥିବା ବେଳେ ଆଜି ଏନେଇ ମୁହଁ ଖୋଲିଛନ୍ତି ସଂପୃକ୍ତ ମହିଳା। ବାରିପଦା ଟାଉନ୍ ଥାନାରେ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୁଲିସ୍ ଅଭିଯୁକ୍ତ ଶିକ୍ଷକ ସତ୍ୟେନ୍ଦୁ ଜେନାଙ୍କୁ ଉଦଳାରୁ ଉଠାଇ ଆଣିଛି। ଥାନାରେ ଅଟକ ରଖି ଏହି ଦୁଷ୍କର୍ମ ଅଭିଯୋଗର ତଦନ୍ତ ଚାଲିଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ଉକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଉଦଳା ଅଞ୍ଚଳର ଶିକ୍ଷକ ଶ୍ରୀ ଜେନାଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଏହି ସମୟରେ ତାଙ୍କ ଝିଅକୁ ଏକ କମ୍ପାନୀରେ ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ ଶ୍ରୀ ଜେନା। କାମ ଯୋଗାଇଦେବାକୁ ଥିବା କମ୍ପାନୀର ମାଲିକ ପୁରୀ ଆସିଲେ ତାଙ୍କ ସହିତ ସାକ୍ଷାତ କରାଇ ଚାକିରୀ ଫାଇନାଲ କରାଇ ଦେବ ବୋଲି ମହିଳାଙ୍କୁ ଅଭିଯୁକ୍ତ ଶିକ୍ଷକ ପ୍ରତିଶ୍ରୁତି ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଏହାପରେ ଗତବର୍ଷ ଡିସେମ୍ବର ୩୦ରେ କମ୍ପାନୀର ମାଲିକ ପୁରୀ ଆସୁଛନ୍ତି ମହିଳାଙ୍କୁ କହିଥିଲେ ସତ୍ୟେନ୍ଦୁ। ତାଙ୍କ ସହିତ ଦେଖା କରିବା ନିମନ୍ତେ ବିବାହିତ ମହିଳାଙ୍କୁ ସାଥୀରେ ଧରି ପୁରୀ ଯାଇଥିଲେ ସେ। ମାତ୍ର ମାଲିକ କୌଣସି କାର୍ଯ୍ୟରେ ଉକ୍ତ ଦିନ ଆସି ପାରିଲେ ନାହିଁ ଏବଂ ପରଦିନ ଆସିବେ ବୋଲି କହି ପୁରୀର ଏକ ଘରୋଇ ହୋଟେଲ୍‌ରେ ଉଭୟ ରହିଥିଲେ। ମାତ୍ର ଉକ୍ତ ହୋଟେଲ୍‌ରେ ଆଉ ରୁମ୍ ନଥିବା କହି ରାତିରେ ମହିଳାଙ୍କ ରୁମ୍‌ରେ ରହିବାକୁ କହିଥିଲେ ଅଭିଯୁକ୍ତ। ମାତ୍ର ଏହି ପ୍ରସ୍ତାବରେ ମହିଳା ଜଣଙ୍କ ରାଜି ହୋଇ ନ ଥିଲେ । ତେବେ ବାଧ୍ୟବାଧକତାରେ ମହିଳାଙ୍କ ରୁମ୍‌ରେ ଶିକ୍ଷକ ଜଣକ ରହିଥିଲେ। ଏହି ଅବସରରେ ମହିଳାଙ୍କ ଅନିଚ୍ଛା ସତ୍ୱେ ତାଙ୍କ ସହିତ ଶିକ୍ଷକ ଶ୍ରୀ ଜେନା ବଳପୂର୍ବକ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରିବାରୁ ଶ୍ରୀ ଜେନା ମହିଳାଜଣଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ପୁଲିସ୍ କିମ୍ବା ବାହାରେ କେଉଁଠି ପ୍ରକାଶ କଲେ ଦୁଷ୍କର୍ମ ସମୟର ଭିଡିଓ ରେକର୍ଡିଂ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଚାକିରୀ ନିମନ୍ତେ କେତେ ଲୋକ କେତେ ତ୍ୟାଗ କରୁଛନ୍ତି ବୋଲି କହିଥିଲେ । ମହିଳା ଜଣକ ଘରକୁ ଫେରି ଆସିବା ନିମନ୍ତେ ଚାହିଁ ଥିଲେ ମଧ୍ୟ ହୋଟେଲର ମାଲିକ ତାଙ୍କର ପରିଚିତ, ଏଠାରେ କୌଣସି ଲୋକ ନିକଟରୁ ସାହାର୍ଯ୍ୟ ମିଳିପାରିବ ନାହିଁ ବୋଲି ଧମକ ଦେଇଥିଲେ ।

ସେହିପରି ପରବର୍ତ୍ତି ଦିନ ମଧ୍ୟ ମହିଳାଙ୍କ ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲେ ଏବଂ କମ୍ପାନୀର ମାଲିକ ସହିତ ଫୋନରେ କଥା ହୋଇସାରିଛି, ତେଣୁ ଅପେକ୍ଷା କରିବାର ଆବଶ୍ୟକ ନାହିଁ । ଏଥର ଘରକୁ ଫେରିଯିବା କହି ମହିଳାଙ୍କୁ ଆଣି ଭୂବନେଶ୍ୱରରେ ବାରିପଦା ବସରେ ବସାଇ ଦେଇଥିଲେ । ଏହାପରେ ମଝିରେ ମଝିରେ ଘଟଣା ପ୍ରଘଟ କଲେ ଭିଡ଼ିଓ ଭାଇରାଲ କରାଇ ଦେବାର ଫୋନରେ ଧମକ ଦେଇ ଆସୁଥିଲେ । ଉକ୍ତ ଘଟଣାକୁ ନେଇ ମହିଳା ଜଣକ ମାନସିକ ସନ୍ତୁଳନ ହରାଇ ବସିଥିଲେ । ଝିଅର ହାବଭାବରେ ପରିବର୍ତ୍ତନ ଦେଖି ମା କାରଣ ଜାଣିବାକୁ ଚାହିଁବାରୁ ସମସ୍ତ କଥା ଖୋଲି ପ୍ରକାଶ କରି ଦେଇଥିଲେ ଏବଂ ମା’ଙ୍କ ପରାମର୍ଶ କ୍ରମେ ବରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାର ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ଅଭିଯୁକ୍ତ ଶିକ୍ଷକ ଚଳିତ ମାସ ୧୭ରେ ବାରିପଦା ସହରର ଜନୈକ ବ୍ୟକ୍ତିଙ୍କୁ ପଠାଇ ମହିଳାଙ୍କ ବାପ ଘରେ ପହଞ୍ଚି ଥାନାରେ ଅଭିଯୋଗ ନ କରିବା ପାଇଁ ଉଭୟ ମା ଓ ଝିଅଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ତେଣୁ ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ହେବା ଭୟରେ ମହିଳାଙ୍କ ଜଣଙ୍କ ଦୀର୍ଘ ଦିନ ହେବ ଚୁପ୍ ଥିଲେ। ମାତ୍ର ପରିବାର ପରାମର୍ଶ କ୍ରମେ ମହିଳା ଜଣକ ଆଜି ବାରିପଦା ଟାଉନ ଥାନାରେ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଟାଉନ୍ ଥାନା ପୁଲିସ ପକ୍ଷରୁ ଧାରା ୩୭୬(୨)(ଏନ)/ ୫୦୬ ଅନୁସାର କେସ୍ ନଂ ୪୦୧/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଶିକ୍ଷକଙ୍କୁ ଉଦଳା ଅଞ୍ଚଳରୁ ଅଣାଯାଇ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଏକ ଉଚ୍ଚବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି।

ସମ୍ବନ୍ଧିତ ଖବର