ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା: ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ, ଟିକାକରଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ

କୋଭିଡ ନିୟମର କଡ଼ାକଡ଼ି ପାଳନ ପାଇଁ ଲୋକଙ୍କୁ ନିବେଦନ

ଭୁବନେଶ୍ବର: କୋଭିଡ୍‌ ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ତେଣୁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆଶ୍ବାସନା ଦେଇଛନ୍ତି। ତେବେ କୋଭିଡ୍‌ର ସମସ୍ତ ନିୟମ ପାଳନ କରିବା ପାଇଁ ସେ ନିବେଦନ କରିଛନ୍ତି। ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଜୋର୍‌ ଦେଇଛନ୍ତି।

ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହରୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ଠିକ୍ ରହିଛି। ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି। ଦେଶର ବଡ଼ ବଡ଼ ସହରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଆରମ୍ଭ ହେଲାଣି। ରୋଗୀମାନଙ୍କ ଲକ୍ଷଣ ସାମାନ୍ୟ ରହୁଛି ଏବଂ ଖୁବ କମ୍ ରୋଗୀଙ୍କୁ ହସ୍‌ପିଟାଲ ଯିବାକୁ ପଡ଼ୁଛି। ଏସବୁ ସୂଚନା ଉତ୍ସାହପ୍ରଦ ହେଲେ ମଧ୍ୟ ଆମ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ପଡ଼ିବ। ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଶେଷ କରି ମେଡିକାଲ ଷ୍ଟାଫ, ପୁଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଙ୍କା ଥିବା ନାଗରିକମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ବରାନ୍ବିତ କରିବା ପାଇଁ ସେ କହିଥିଲେ। ସେହିପରି ଗଣମାଧ୍ୟମର କର୍ମକର୍ତ୍ତାମାନେ ମଧ୍ୟ ସମ୍ମୁଖ ଯୋଦ୍ଧା ଭାବେ ପରିଗଣିତ ହେଉଥିବାରୁ ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସବୁ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସହିତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତା’କୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍. କେ. ଶର୍ମା ସମଗ୍ର ବିଶ୍ବ, ଦେଶ ଓ ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଏକ ତୁଳନାତ୍ମକ ଚିତ୍ର ରଖି କହିଥିଲେ ଯେ ବର୍ତ୍ତମାନ ତୃତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ସୂଚନା ମିଳୁଛି। ରାଜ୍ୟରେ ଦୈନିକ ୧୦ ରୁ ୧୧ ହଜାର ମଧ୍ୟରେ ନୂଆ ରୋଗୀ ସଂଖ୍ୟା ଦେଖା ଦେଉଥିଲେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍ ଅଛି। ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୧୧,୨୯୧ଟି ବେଡ୍ ରହିଛି ଏବଂ ଏଥିରୁ ମାତ୍ର ୧୧ ପ୍ରତିଶତ ବେଡ୍‌ରେ ରୋଗୀ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୯୨.୭ ପ୍ରତିଶତ ପ୍ରଥମ ଡୋଜ ଓ ୭୦.୭ ପ୍ରତିଶତ ଦ୍ବିତୀୟ ଡୋଜ ନେଇସାରିଛନ୍ତି। ୧୫ ରୁ ୧୮ ବୟସ୍କ କିଶୋରମାନଙ୍କ କ୍ଷେତ୍ରରେ ୪୫.୮ ପ୍ରତିଶତ ଟିକାକରଣ ହୋଇଛି ଏବଂ ୧୪ ପ୍ରତିଶତ ବୁଷ୍ଟର ଡୋଜ ଟିକାକରଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ। ବୈଠକରେ ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ, କଟକ ଓ ମୟୂରଭଞ୍ଜର ଜିଲ୍ଲାପାଳ, ଭୁବନେଶ୍ବର ଓ କଟକ ମହାନଗର ନିଗମ କମିସନର ପ୍ରମୁଖ ସେମାନଙ୍କ ନିଜ ନିଜ କ୍ଷେତ୍ରର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ବୈଠକରେ ଉନ୍ନୟନ କମିସନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ଓଡ଼ିଶାର ‘ଆର୍’ ଭ୍ୟାଲୁ ୪ ଟପିଲା: ୧୧ହଜାରରେ ଦୈନିକ ସଂକ୍ରମଣ, ଦିନକରେ ୧୧,୦୮୬ ପଜିଟିଭ୍, ୪ ମୃତ

ଭୁବନେଶ୍ବର: ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୧ହଜାର ପାର୍ କରିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧୦୮୬ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ହେଲେ ନମୁନା ପରୀକ୍ଷା ହ୍ରାସ ପାଇଥିବାରୁ କିଛି ଜିଲ୍ଲାରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ରାଜ୍ୟରେ କରୋନା ସଂକ୍ରମଣ ହାର ୧୫ ପ୍ରତିଶତ ରହିଛି। ତେବେ ଚିନ୍ତାର ବିଷୟ ହେଉଛି ଯେ ରାଜ୍ୟରେ କରୋନାର ‘ଆର୍’ ବା ରିପ୍ରଡକସନ୍ ଭ୍ୟାଲୁ ୪ ପାର୍ କରିଛି। କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ

 

ସମ୍ବନ୍ଧିତ ଖବର