ରାଷ୍ଟ୍ରୀୟ ସମ୍ମାନର ସହିତ ସହିଦ ଜେମ୍‌ସ କବିରାଜ ବୁଡ଼ଙ୍କ ଶେଷକୃତ୍ୟ ସଂପନ୍ନ

ବାମରା : ରାଷ୍ଟ୍ରୀୟ ସମ୍ମାନର ସହ ସଂପନ୍ନ ହୋଇଛି ସହିଦ ଜେମ୍‌ସ କବିରାଜ ବୁଡ଼ଙ୍କ ଅନ୍ତିମ ସଂସ୍କାର। ଜନ୍ମ ମାଟି ବାମରା ନିକଟ ଝାରସୁଗୁଡ଼ା ଜିଲ୍ଲା  ତିଲେଇମାଲ ପଞ୍ଚାୟତ ମଧୁପୁର ଗାଁରେ ଗୁରୁବାର ଦିନ  ସକାଳେ ସହିଦ ଯବାନଙ୍କ ମର ଶରୀର ପହଞ୍ଚିଥିଲା। ଏକ ଶୋଭାଯାତ୍ରାରେ ସହିଦଙ୍କ ଗ୍ରାମ ପରିକ୍ରମା କରାଯାଇଥିଲା। ମର ଶରୀର ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିଲା। ବିଭିନ୍ନ ସ୍ଥାନରେ ଶହ ଶହ ଜନସାଧାରଣ ସହିଦ ଯବାନଙ୍କ ମର ଶରୀର ଉପରେ ପୁଷ୍ପାଞ୍ଜଳି ଦେଇ ଶେଷ ବିଦାୟ ଜଣାଇଥିଲେ। ସହିଦ ଯବାନଙ୍କ ଶେଷକୃତ୍ୟ ସମୟରେ ବହୁ ଅବସରପ୍ରାପ୍ତ ସେନାର କର୍ମଚାରୀ, ସହପାଠୀ, ସାଙ୍ଗସାଥୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଗାର୍ଡ ଅଫ ଅନର ଦିଆ ଯାଇଥିଲା।

ସୂଚନା ଅନୁସାରେ ସହିଦ ଯବାନ ୬ ବିହାର ରେଜିମେଣ୍ଟରେ ଯୋଗ ଦେଇ ପଞ୍ଜାବର ପଠାନକୋଟରେ  କାର୍ଯ୍ୟରତ ଥିଲେ। ୨ ମାସ ପୂର୍ବେ ଜେମ୍‌ସ ପଠାନକୋଟରୁ ଜବଲପୁରକୁ ଏକ ଗାଡ଼ିରେ ସାମୟିକ ଡ୍ୟୁଟିରେ ବାହାରିଥିଲେ। ଏହି କ୍ରମରେ ଉତ୍ତରପ୍ରଦେଶର ମଥୁରା ସହର ନିକଟରେ ତାଙ୍କ ଗାଡ଼ି ଅଚଳ ହୋଇ ପଡ଼ିଥିଲା। କିଛି ଦିନପରେ ସେଠାରେ କାର୍ଯ୍ୟରତ ଅବସ୍ଥାରେ ସୋମବାର ତାଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସଂଗେ ସଂଗେ ସେନା କାର୍ଯ୍ୟାଳୟ ପକ୍ଷରୁ ତାଙ୍କ  ପରିବାର ଲୋକଙ୍କୁ ଜଣାଇବା ସହିତ ଶବ ବ୍ୟବଚ୍ଛେଦ କରାଇ  ଜନ୍ମ ମାଟି  ଅଭିମୁଖେ ଅଣାଯାଇଥିଲା। ପ୍ରଥମେ ମଥୁରାରୁ ଦିଲ୍ଲୀ, ଦିଲ୍ଲୀରୁ ଆକାଶ ମାର୍ଗରେ ବିମାନ ଯୋଗେ  ଝାରସୁଗୁଡ଼ା ଅଣାଯାଇଥିଲା। ସଡ଼କ ପଥରେ ମଧୁପୁରକୁ ଅଣାଯାଇଥିଲା।

ବର୍ତ୍ତମାନ ସହିଦ ଯବାନଙ୍କ ମାଁ ଅବିନାଶୀ ପୁଷ୍ପା ବୁଡ଼, ବାପା ବିମଲ ବୁଡ଼, ପତ୍ନୀ  ସୁମନ ଏବଂ ୧୫ ବର୍ଷର ଝିଅ ଓ ୧୩ ବର୍ଷର ପୁଅ ଅଛନ୍ତି। ମଥୁରାରୁ ସେନାର ବରିଷ୍ଠ ଅଧିକାରୀମାନେ ଆସିଥିଲେ। ସହିଦଙ୍କ ଅନ୍ତିମ ସଂସ୍କାରରେ ବାମରାରୁ ସେନାର କର୍ମଚାରୀଙ୍କ ମଧ୍ୟରେ ସୁବେଦାର ମନୋଜ ମାକର, ରବି ଶଙ୍କର ଶୁକ୍ଳା, ନେଲସନ ଟିଡୁ, ଅଚିନ୍ତ ରାୟ, ସୋମବାରୁ କିଷାନ, ସବକ ତପନ ତଥା ସହପାଠୀଙ୍କ ମଧ୍ୟରେ ରୋହିତ ଜୈନ, ଅଭୟ ଚୌଧୁରୀ, ରାଜା ଖାନ, କୁନ୍ଦନ ରାୟ, ଦୀପକ ଶର୍ମା ଓ ଗିରୀଶ ପଟେଲଙ୍କ ଛଡା ବହୁ ଗ୍ରାମବାସୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସହିଦ ବୁଡ଼ ବାମରା ଭାଗୀରଥି ହାଇସ୍କୁଲର ୨୦୦୦ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ର ଥିଲେ।

ସମ୍ବନ୍ଧିତ ଖବର