ଭୁବନେଶ୍ୱର : ରାଜ୍ୟ ସରକାର ଆଜି ରାଜ୍ୟର ବନ୍ଦର ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ଜଣାପଡ଼ିଛି ଯେ ଧାମରା ବନ୍ଦରର କ୍ଷମତା ବାର୍ଷିକ ୨୫ ନିୟୁତ ଟନ୍ରେ ପହଞ୍ଚିଛି। ବନ୍ଦରରେ ବର୍ତମାନ ସୁଦ୍ଧା ୩୨୭୨ ଜଣଙ୍କୁ ନିଯୁକ୍ତି ମିଳିଛି। ଏମାନଙ୍କ ମଧ୍ୟରୁ ୮୮ ପ୍ରତିଶତରୁ ଅଧିକ ହେଉଛନ୍ତି ଓଡ଼ିଆ ଯୁବକଯୁବତୀ। ୨୦୧୮ ମାର୍ଚ ସୁଦ୍ଧା ଏଠାରେ କଣ୍ଟେନର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସ୍ଥିର ହୋଇଛି। ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟର ସଂପ୍ରସାରଣ ପାଇଁ ଏବେ ସୁଦ୍ଧା ୭୬୩ ଏକର ଜମି ଯୋଗାଇ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ଯୋଜନା ଚୂଡ଼ାନ୍ତ କରିବା ସହିତ ଧାମରା ନିକଟରେ ଏକ ଏୟାର ଷ୍ଟ୍ରିପ୍ ବିକାଶ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବନ୍ଦର କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ସେହିଭଳି ବନ୍ଦର ଅଂଚଳରେ ଥିବା ସରକାରୀ ଜାଗାକୁ ସୁରକ୍ଷିତ ରଖିବା ପାଇଁ ସେସବୁ ସ୍ଥାନରେ ପାଚେରି ନିର୍ମାଣ ଲାଗି ମୁଖ୍ୟ ସଚିବ ଇଡ୍କୋକୁ ନିର୍ଦେଶ ଦେଇଥିଲେ।
ଫାଇଲିନ୍ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗୋପାଳପୁର ବନ୍ଦରର ଆବଶ୍ୟକ ମରାମତି ପରେ ୨୦୧୫ ଡିସେମ୍ବରରୁ ଏହା ପୁନଃ କାର୍ଯ୍ୟକ୍ଷମ ହୋଇଛି। ଏଠାରେ ଦୁଇଟି ନୂଆ ବର୍ଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ବନ୍ଦରର ବ୍ୟାକ୍ଅପ୍ ୟାର୍ଡ ନିର୍ମାଣ କାର୍ଯ୍ୟ ୨୦୧୯ ଜୁନ୍ ମଧ୍ୟରେ ଶେଷ କରିବା ଲାଗି ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିସହିତ ମାଛଧରା ଜେଟି, ବନ୍ଦରର ଉତ୍ତର ପଟେ ବେଳାଭୂମିର ବିକାଶ ଓ ମତ୍ସ୍ୟଜୀବୀଙ୍କ ନିମନ୍ତେ ଉନ୍ନୟନମୂଳକ କାର୍ଯ୍ୟ ଆଦିକୁ ତ୍ୱରାନ୍ଵିତ କରିବା ପାଇଁ ବନ୍ଦର କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା।
ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର ପ୍ରତିଷ୍ଠା ନିମନ୍ତେ ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରି କାର୍ଯ୍ୟର ବେଶ୍ ଅଗ୍ରଗତି ହୋଇଥିବାରୁ କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ।
ସଚିବାଳୟ ପରିସରରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ, କୃଷି ତ୍ତତ୍ପାଦନ କମିସନର ଗଗନ କୁମାର ଧଳ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ରେଲେଓ୍ଵ କମିସନର ମନୋଜ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସଚିବ ବିଶାଳ ଗଗନ, ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାର, ଇଡ୍କୋର ମୁଖ୍ୟ ପରିଚାଳନା ନିର୍ଦେଶକ ସଂଜୟ ସିଂ, ପୂର୍ତ ବିଭାଗର ସଚିବ ନଳିନୀକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଭଦ୍ରକ, ଗଂଜାମ ଓ ପୁରୀ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।