ସମସ୍ୟା ଘେରରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଶାନ୍ତନୁ ଦାସଙ୍କର ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଯାଇଛି। ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ସେହିପରି ନୂତନ ଭାବେ ନିଯୁକ୍ତି ପାଇଥିବା ଦୁଇ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଛୁଟିରେ ରହିଛନ୍ତି। ସେ ବିନା ଦରଖାସ୍ତରେ ଛୁଟିରେ ରହିବା ସହ ତାଙ୍କ ଫୋନ୍‌କୁ ବନ୍ଦ ରଖିଛନ୍ତି। ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଶ୍ରୀ ଦାସ ସିଡିଏମ୍‌ଓଙ୍କୁ ସୂଚନା ଦେବେ ବୋଲି କହିଛନ୍ତି। ଏବେ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ରେଗୁଲାର୍ ଡାକ୍ତର ଅଛନ୍ତି। ଅବଶ୍ୟ ଜଣେ ଏମବିବିଏସ୍,୩ ଜଣ ଆୟୁଷ ଡାକ୍ତର ଡେପୁଟେସନ୍‌ରେ ଆସି ସପ୍ତାହକୁ ପାଳିରେ କାର୍ଯ୍ୟ କରୁଛନ୍ତି। ଏବେ କାର୍ଯ୍ୟ କରୁଥିବା ଦୁଇ ଡାକ୍ତର (ଏମବିବିଏସ୍) ଆସନ୍ତା ସେପ୍ଟେମ୍ବର ମାସରେ ମେଡିକାଲ୍ କାଉନ୍‌ସିଲିଂରେ ଯୋଗଦେବେ ବୋଲି ଜଣାପଡ଼ିଛି। ଅସ୍ତରଙ୍ଗରେ ବିଶେଷ ସୁବିଧା ସୁଯୋଗ ନଥିବାରୁ ଯୁବ ଡାକ୍ତରମାନେ ଅଧିକ ଦିନ ଏଠାରେ ରହି କାର୍ଯ୍ୟ କରିବାକୁ ଇଛା ପ୍ରକାଶ କରୁ ନାହାନ୍ତି। ଅନ୍ୟପକ୍ଷରେ ଅସ୍ତରଙ୍ଗରେ ନିଯୁକ୍ତି ପାଇବା ପୂର୍ବରୁ ପାରିପାର୍ଶ୍ବିକ ପରିବେଶ ଦେଖି ଡାକ୍ତରମାନେ ମୁହଁ ଫେରାଉଥିବା ଜଣାପଡ଼ିଛି।

ସେହିପରି ନୂଆକରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଡାକ୍ତର ଓ ନର୍ସଙ୍କ ପ୍ରତି ଅସାମାଜିକ ବ୍ୟକ୍ତିଙ୍କର ଦୌରାତ୍ମ୍ୟ ବଢ଼ୁଛି। କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକେନ୍ଦ୍ରରେ ୧୬୨ ପ୍ରକାର ଔଷଧ ମିଳୁଥିବା ଫାର୍ମାସିଷ୍ଟ୍‌ ଦାବି କରୁଥିବା ବେଳେ ରୋଗୀଙ୍କୁ ଆବଶ୍ୟକ ଔଷଧ ମିଳୁନଥିବା ଅଭିଯୋଗ ହୋଇଛି। ଏପରି ସ୍ଥଳେ ବହୁ ରୋଗୀ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୁହଁ ଫେରାଉଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର