ଅସ୍ତରଙ୍ଗରେ ପ୍ରସ୍ତାବିତ ମଦ ଦୋକାନକୁ ତୀବ୍ର ବିରୋଧ, ତାତିଲେ ପଞ୍ଚାୟତବାସୀ

ଜନଜାଗରଣ ଯାତ୍ରାରେ ବହୁସଂଖ୍ୟକ ଯୁବ ଓ ମହିଳା ସାମିଲ

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ପଞ୍ଚାୟତ ଏଡ଼ବାଂଶରେ ଅବକାରୀ ବିଭାଗର ପ୍ରସ୍ତାବିତ ମଦ ଦୋକାନକୁ ତୀବ୍ର ବିରୋଧ କରାଯାଉଛି | ଏ ନେଇ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି| ଆଜି ତାଳଦା ବିକାଶ ପରିଷଦର ସମସ୍ତ ସଭ୍ୟ, ସ୍ଥାନୀୟ ମହିଳା ଗୋଷ୍ଠୀ, ଯୁବ ଗୋଷ୍ଠୀ, ଅସ୍ତରଙ୍ଗର ଯୁବ ବିଜେପି ଗୋଷ୍ଠୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏକାଠି ହେବା ଦେଖିବାକୁ ମିଳିଥିଲା | ପୂର୍ବାହ୍ନ ୧୧ଟାରୁ ଏକାଠି ହୋଇ ଏମାନେ ଜନଜାଗରଣ ଯାତ୍ରା ଆରମ୍ଭ କରି ସଚେତନତା ସୃଷ୍ଟି କରିଥିଲେ|

ସ୍ଥାନୀୟ ବୁଦ୍ଧେଶ୍ବର ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଏମାନେ ବାହାରି ଗାଁଗଣ୍ଡା ପରିକ୍ରମା କରିବା ସହ ସାଇ ମନ୍ଦିର ନିକଟରେ ପହଞ୍ଚିଥିଲେ | ମଦ ବିରୋଧୀ ସଚେତନତା ଥିବା ବାର୍ତ୍ତା ଥିବା ପ୍ଲାଏ କାର୍ଡ,ବ୍ୟାନର ଧରି ସ୍ୱର ଉତ୍ତୋଳନ କରିଥିଲେ| ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ | ମଦ ବିରୋଧରେ ଆମର ଏ ଆନ୍ଦୋଳନ, ଓଡ଼ିଶାରେ ନ ରହୁ ଆଉ ମଦ ଦୋକାନ, ଯୋଜନା ଉପରେ ଯୋଜନା କରି , ଶାସନ କରୁ ଆମ ସଂସାର ମାରି,ମଦୁଆ ସରକାର-ହାଏ-ହାଏ ଆଦି ସ୍ଲୋଗାନ୍ ଦେଇଥିବା ଦେଖିବାକୁ ମିଳିଥିଲା|

କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ସମସ୍ତଙ୍କୁ ସାଧାରଣ ସଭା କରିବାରେ ପ୍ରସ୍ତାବିତ ମଦ ଦୋକାନକୁ କୌଣସି ମତେ ସ୍ୱୀକୃତି ନ ଦେବାକୁ ଏକାଠି ହେବା ସହିତ ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା | ଏହି ଜନଜାଗରଣ ଯାତ୍ରାର କି ପ୍ରଭାବ ପଡ଼ୁଛି, ତାହ ଦେଖିବା କଥା।

ସମ୍ବନ୍ଧିତ ଖବର