ଭୁବନେଶ୍ବର: ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ଅଞ୍ଚଳ ବସିରହାଟରେ ରହୁଥିବା ରାଜୁ ମଣ୍ଡଳ ଛୋଟ ବ୍ୟବସାୟ କରୁଥିଲା। ସବୁଦିନ ସକାଳୁ ବସିରହାଟରୁ ବସ୍‌ରେ ବସି ବାଂଲାଦେଶର ବନଗାଁ ଯାଉଥିଲା। ପଶ୍ଚିମବଙ୍ଗରୁ କିଛି ଜିନିଷ କିଣି ବାଂଲାଦେଶରେ ବିକ୍ରି କରୁଥିଲା। ସେମିତି ବାଂଲାଦେଶରୁ କିଛି ଜିନିଷ ଶସ୍ତାରେ ଆଣି ପଶ୍ଚିମବଙ୍ଗରେ ବିକ୍ରି କରୁଥିଲା। ବ୍ୟବସାୟ ସାରି ସବୁଦିନ ସନ୍ଧ୍ୟାରେ ଫେରୁଥିଲା। ଏହି ସମୟରେ ତା’ର ଅସଦୁର୍‌ ଜମାନ ସହ ଭେଟ ହୋଇଥିଲା। ଛୋଟମୋଟ ବ୍ୟବସାୟ ଛାଡ଼ି ରାତାରାତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ବାଟ ଦେଖାଇଥିଲା ଅସଦୁର୍‌। ଉଭୟଙ୍କ ସହମତି ଆଧାରରେ ସିମ୍‌ ବକ୍ସ ଲଗାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ରାଜୁର ଦ୍ବିତୀୟ ଦିନ ଜେରା ବେଳେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ଏସବୁ ଗଣମାଧ୍ୟମକୁ ଜଣାଇଛନ୍ତି।

Advertisment

ରାଞ୍ଚି ଗଲା କମିସନରେଟ୍‌ ପୁଲିସ ଟିମ୍‌
୩ ବ୍ୟାଙ୍କ ଆକାଉଣ୍ଟ୍‌ ଠାବ
ଲିଙ୍ଗରାଜ ହୋଟେଲ୍‌ରେ ଚଢ଼ଉ
ବାଂଲାଦେଶରେ ହୋଇଥିଲା ‌ପ୍ରଥମ ଡିଲ୍‌

ଆଉ ଏକ ଦିଗ ମଧ୍ୟ ପଦାକୁ ଆସିଛି। ଭୁବନେଶ୍ବର ଓ କଟକ ପରେ ରାଞ୍ଚିରେ ସିମ୍‌ ବକ୍ସ ଲାଗିଥିବା ଜଣାପଡ଼ିଛି। ଜେରା ବେଳେ ରାଜୁ ସିମ୍‌ ବକ୍ସ ସମ୍ପର୍କରେ ପୁଲିସକୁ ତଥ୍ୟ ଦେଇଛି। ଏହାପରେ କମିସନରେଟ୍‌ ପୁଲିସ ଝାଡ଼ଖଣ୍ଡ ପୁଲିସ ସହ ଯୋଗାଯୋଗ କରିଥିଲା। ଦୁଇ ରାଜ୍ୟ ପୁଲିସର ଆଲୋଚନା ପରେ ଆଜି କମିସନରେଟ୍‌ ପୁଲିସର ଏକ ଟିମ୍‌ ରାଞ୍ଚି ଯାଇଛି। ସେଠାରୁ କିଭଳି ସିମ୍‌ ବକ୍ସକୁ ଜବତ କରାଯିବ? ଯେଉଁମାନେ ସେଠାରେ ସିମ୍‌ ବକ୍ସ ଅପରେଟ୍‌ କରୁଥିଲେ; ସେମାନଙ୍କୁ କିଭଳି ଠାବ କରାଯାଇପାରିବ? ଏ ନେଇ ଟିମ୍‌ ପ୍ରସ୍ତୁତି ସାରି ରାଞ୍ଚି ଯାଇଛି। ସେହିପରି ରାଜୁ ବ୍ୟବହାର କରୁଥିବା ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଠାବ କରାଯାଇଛି। ଏସ୍‌ବିଆଇ, ବନ୍ଧନ ଓ ପିଏନ୍‌ବି ବ୍ୟାଙ୍କରେ ଆକାଉଣ୍ଟ ରାଜୁ ନାମରେ ଥିବା ବେଳେ ଗୋଟିଏ ତା’ ପତ୍ନୀ ନାମରେ ଥିବା ଜଣାପଡ଼ିଛି। ଦୁଇଟି ଫୋନ୍‌ ପେ’ ଠାବ ହୋଇଛି। ଏସବୁ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି। କେତେକ ଆର୍ଥିକ କାରବାର ପୁଲିସ ସନ୍ଦେହ ଘେରକୁ ଆସିଛି। ସେମାନଙ୍କୁ ଚିହ୍ନଟ ପାଇଁ ପୁଲିସ ବ୍ୟାଙ୍କକୁ ଚିଠି କରିଛି। ତଥ୍ୟ ମିଳିବା ପରେ ସେମ‌ାନଙ୍କୁ ମଧ୍ୟ ଜେରା କରାଯିବ ବୋଲି କୁହାଯାଇଛି।

ଅନ୍ୟପଟେ ଆଜି ପୁଲିସ ଟିମ୍‌ ହୋଟେଲ୍‌ ଲିଙ୍ଗରାଜରେ ଚଢ଼ଉ କରିଛି। କାରଣ ରାଜୁ ଓ ରୢାକେଟ୍‌ର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅସଦୁର ୨୦୨୩ ନଭେମ୍ବରରୁ ଆସି ଡିସେମ୍ବର ୨୩ ପର୍ଯ୍ୟନ୍ତ ରାଜଧାନୀରେ ରହିଥିଲେ। ଏହି ସମୟରେ ଅସଦୁର ହୋଟେଲ୍‌ ଲିଙ୍ଗରାଜରେ ରହିଥିବା ଜଣାପଡ଼ିଛି। ଉଦ୍‌ବେଗର କଥା ହୋଟେଲ୍‌ ପକ୍ଷରୁ ଅସଦୁର ସମ୍ପର୍କରେ ପୁଲିସକୁ କୌଣସି ଖବର ଦିଆଯାଇନଥିଲା। କେଉଁ ପରିସ୍ଥିତିରେ ହୋ‌ଟେଲ୍‌ କର୍ତୃପକ୍ଷ ତଥ୍ୟ ଲୁଚାଇଥିଲେ? କାହିଁକି ତଥ୍ୟ ଦେଇନଥିଲେ? ଉଭୟ ରାଜୁ ଓ ଅସଦୁର ପ୍ରକୃତରେ ସେଠାରେ କେତେଦିନ ରହିଥିଲେ? ଏହାର ଖୋଳତାଡ଼ ପାଇଁ ପୁଲିସ ଟିମ୍‌ ପହଞ୍ଚି ତନାଘନା କରିଛି। ସିସିଟିଭି ଫୁଟେଜ୍‌ ଠାରୁ ଆରମ୍ଭ କରି ହୋଟେଲ୍‌ ରେଜିଷ୍ଟ୍ରାର୍‌, ଅନ୍‌ଲାଇନ୍‌ ବୁକିଂ ଆପ୍‌, କମ୍ପ୍ୟୁଟର ତଥ୍ୟ ଯାଞ୍ଚ କରିଛି। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ରାଜୁ ସଂପର୍କରେ ଆହୁରି ଅନେକ ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି।