ଡାକ୍ତରୀ ଶିକ୍ଷାରେ ଭିନ୍ନ କିଛି କରିବି: ଆଶୁତୋଷ

ବଲାଙ୍ଗୀର : ଚଳିତ ବର୍ଷ ସର୍ବ ଭାରତୀୟ ସ୍ତରରେ ମେଡିକାଲ ପ୍ରବେଶିକା (ନିଟ୍) ପରୀକ୍ଷାରେ ବଲାଙ୍ଗୀରର ଆଶୁତୋଷ ପଣ୍ଡା ୭୨୦ରୁ ୬୮୨ ନମ୍ବର ରଖି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବଲାଙ୍ଗୀରର ରାଜ କିଶୋର ପଣ୍ଡା ଏବଂ ସୁଷମା ପାଢ଼ୀଙ୍କ ପୁତ୍ର ଆଶୁତୋଷ ଯୁବୋଦୟ କଲେଜରୁ ଯୁକ୍ତଦୁଇ ଶିକ୍ଷାରେ ମଧ୍ୟ ଶତକଡ଼ା ୯୦ ଭାଗ ରଖି ଓଡ଼ିଶାର ପ୍ରଥମ ୨୦ ଜଣଙ୍କ ମଧ୍ୟରେ ରହିଥିଲେ। ପରେ ଡାକ୍ତରୀ ଶିକ୍ଷା ପାଇଁ ପ୍ରଚୁର ଆଗ୍ରହ ଯୋଗୁଁ ସେ ଗୋଟିଏ ବର୍ଷ ଭୁବନେଶ୍ୱରସ୍ଥିତ ଯୁବୋଦୟ ଶିକ୍ଷାନୁଷ୍ଠାନରେ କୋଚିଂ ଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି। ତାଙ୍କ ସହ ‘ସମ୍ବାଦ’ ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାଶଙ୍କ କିଛି ବାର୍ତ୍ତାଳାପ।

ପ୍ରଶ୍ନ: ଓଡ଼ିଶାରେ ନମ୍ବର ୧, କେମିତି ଲାଗୁଛି?
ଉତ୍ତର: ସ୍ୱାଭାବିକ ଭାବେ ବହୁତ ଖୁସି ଲାଗୁଛି। ମୁଁ ଭଲ ସ୍କୋର କରିବି ତାହା ନିଶ୍ଚିତ ଥିଲି। ହେଲେ ନମ୍ବର ୧ କଥା ଭାବି ନଥିଲି। ଏବେ ଜାଣିବା ପରେ ମୁଁ ମୋର ଲକ୍ଷ୍ୟ ନିଶ୍ଚିତ ପାଇବି ବୋଲି ବିଶ୍ୱାସ ପାଇଛି।

ପ୍ରଶ୍ନ: ବର୍ଷସାରା ପ୍ରସ୍ତୁତି କେମିତି ଥିଲା?
ଉତ୍ତର: ଯୁକ୍ତଦୁଇ ପାଠପଢ଼ିବା ସମୟରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଡାକ୍ତରୀ ଶିକ୍ଷାରେ ହିଁ କିଛି ଆଗକୁ ପଢ଼ିବାର ଲକ୍ଷ୍ୟ ରଖିଥିଲି। ଗତବର୍ଷ ଏନଆଇଟି, ନାଇଜର, ଆଇଜର ଭଳି ସର୍ବଭାରତୀୟ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲି। କିନ୍ତୁ ଡାକ୍ତରୀ ପାଠ ପଢ଼ିବା ପାଇଁ ଗୋଟିଏ ବର୍ଷ ପ୍ରସ୍ତୁତି କରିଥିଲି।

ପ୍ରଶ୍ନ: ଆଗକୁ କଣ ଲକ୍ଷ୍ୟ ରହିଛି?
ଉତ୍ତର: ଆଗକୁ ଡାକ୍ତରୀ ଶିକ୍ଷାରେ ହିଁ ବଢ଼ିବାର ଅଛି। ଡାକ୍ତର ନରହି, ଉଚ୍ଚଶିକ୍ଷା ନେଇ ରିସର୍ଚ୍ଚ ଲାଇନରେ ଆଗକୁ ବଢ଼ିବି। ଦେଶ ପାଇଁ କିଛି ଭିନ୍ନ କରିବାକୁ ଭାବିଛି। ପାଠପଢ଼ା ସବୁବେଳେ ଜାରି ରହିବ।

ପ୍ରଶ୍ନ: କେମିତି ପ୍ରସ୍ତୁତି କଲେ ଜଣେ ନମ୍ବର ୧ ହେବ?
ଉତ୍ତର: ସାଧାରଣତଃ ମାନସିକ ସ୍ତରରେ ଜଣେ ପ୍ରସ୍ତୁତ ହୋଇ ପ୍ରସ୍ତୁତି ଆରମ୍ଭ କରିବା ଦରକାର। କଣ ପଢ଼ିବାକୁ ଚାହୁଁଛନ୍ତି, କେଉଁ ପୁସ୍ତକ ସେ ପଢ଼ିବେ, କେଉଁଠି କୋଚିଂ ନେବେ ସବୁ ପ୍ରାରମ୍ଭରୁ ଚୟନ କରିବା କଥା। ଦିନେ ଦୁଇଦିନ ନୁହଁ, ବର୍ଷସାରା ପାଠ ସହ ଯୋଡ଼ି ହୋଇ ରହିବାକୁ ପଡ଼ିବ। ମୁଁ ଦିନକୁ ୮ରୁ ୧୨ ଘଣ୍ଟା ପରିଶ୍ରମ କରିଥିଲି। ବର୍ଷସାରା ପ୍ରସ୍ତୁତିରେ ହିଁ ମନ ଦେଇଥିଲି।

ପ୍ରଶ୍ନ: ଶ୍ରେୟ କାହାକୁ ଦେବେ?
ଉତ୍ତର: ପ୍ରଥମେ ନିଜର ଅଧ୍ୟୟନ। ତା’ ସହ ମା’, ବାପା, ଯୁବୋଦୟ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଯୁବୋଦୟ ଆଡଭାନ୍ସର ନିର୍ଦ୍ଦେଶିକା ଆଶା ଦାଶଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ସମସ୍ତ ଶ୍ରେୟ ଦେବି।

ପ୍ରଶ୍ନ:କ’ଣ ସବୁ ଲକ୍ଷ୍ୟ ରଖି ଆଗକୁ ଯିବାକୁ ଚାହାନ୍ତି?
ଉତ୍ତର: ମୋର ବାପା ଓ ମା’ ଉଭୟେ ସବୁବେଳେ ବ୍ୟସ୍ତତାରେ ଥିଲେ ମଧ୍ୟ ସମୟ ଦେଇ ଆସିଛନ୍ତି। ମୁଁ ଯାହା ଲକ୍ଷ୍ୟ ନେଇ ପଢ଼ିବାକୁ ଚାହୁଥିଲି ତାହା ପଢ଼ିଚାଲିଛି। ମେଡିକାଲ ସାଇନ୍ସ ହିଁ ମୋର ଏକମାତ୍ର ଲକ୍ଷ୍ୟ ରହିଛି। ଏଥିରେ କେବଳ ଡାକ୍ତର ହୋଇ ନରହି ଆଗକୁ ପାଠ ପଢ଼ିବି। ମେଡିକାଲ ସାଇନ୍ସରେ ଗବେଷଣାତ୍ମକ କାମ କରିବି। ମୁଁ ଭାବୁଛି ନିଶ୍ଚିତ ଭାବରେ ମୋତେ ସଫଳତା ମିଳିବ।

ସମ୍ବନ୍ଧିତ ଖବର