ଓ୍ଵାର୍ଲ୍ଡ ସ୍କିଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶାର ଗୌରବ ବଢ଼ାଇଲେ ଏସ୍‌. ଅସ୍ୱଥ, ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ଓ୍ଵାର୍ଲ୍ଡ ସ୍କିଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି  ଅସ୍ୱଥ ନାରାୟଣ ସନଘାରାପୁ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଋଷିଆରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରି ୨୫ ବର୍ଷିଅ ଅସ୍ୱଥ ‘ଓ୍ଵାଟର ଟେକ୍‌ନୋଲୋଜୀ’ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଋଷିଆରେ ଆୟୋଜିତ ୪୫ତମ ଓ୍ଵାର୍ଲ୍ଡ ସ୍କିଲ ପ୍ରତିଯୋଗିତାରେ ଭାରତୀୟ ଟିମ୍‌ର ଅନ୍ୟତମ ସଦସ୍ୟ ଥିଲେ।

ଏସ୍‌. ଅସ୍ୱଥଙ୍କ ସଫଳତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ନବୀନ କହିଛନ୍ତି, ସ୍ୱର୍ଣ୍ଣପଦକ ଜିତିବା ସହିତ ଅସ୍ୱଥ ଉଭୟ ରାଜ୍ୟ ଓ ଦେଶର ଗୌରବ ବଢ଼ାଇଛନ୍ତି।

ଏହି ପ୍ରତିଯୋଗିତାରେ ଭାରତ ୪ଟି ପଦକ ହାସଲ କରିଛି। ଏଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି କାଂସ୍ୟ ପଦକ ସାମିଲ ରହିଛି। ବର୍ଷ ୨୦୦୭ ପରେ ଏହା ହେଉଛି ଭାରତର ଉତ୍ତମ ପ୍ରଦର୍ଶନ।

ଅସ୍ୱଥଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ୱେବ ଟେକ୍‌ନୋଲୋଜୀରେ ପ୍ରଣବ ନୁତଲାପତି ରୌପ୍ୟ ପଦକ ଜିତିଛନ୍ତି। ସେହିପରି ପଶ୍ଚିମବଙ୍ଗର ସଂଜୟ ପରମାଣିକ ଓ ମହାରାଷ୍ଟ୍ରର ଶ୍ୱେତା ରତ୍ନପୁରା ଯଥାକ୍ରମେ ଜ୍ୱେଲେରୀ ଓ ଗ୍ରାଫିକ୍‌ରେ କାଂସ୍ୟ ପଦକ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ୬୩ ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର