ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ବିଧାନସଭା ଆସନରୁ ନିର୍ବାଚନ ଲଢିବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା। ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ବୁଧବାର ଅନୁଷ୍ଠିତ ସଭାମଞ୍ଚରୁ ଏ କଥା ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର। ଯାହାକୁ ନେଇ ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ବସ୍ତାରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ଜନସମ୍ପର୍କ ପଦଯାତ୍ରା। ସମାବେଶରେ ବ୍ଲକ୍‌ ବିଜେଡି ସଭାପତି ଅନୀଲ୍‌ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଦେବ, ଖୋର୍ଦ୍ଧା ପ୍ରଭାରୀ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ରାଜ୍ୟ ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ନିଜ ବାସଭବନଠାରୁ ମାତ୍ର ୨୦୦ ମିଟର ଦୂରରେ ହୋଇଥିବା ସମାବେଶରେ ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଦେଖିବାକୁ ମିଳିନଥିଲା। ଏଣେ ସମାବେଶରେ ନିଜର ବକ୍ତବ୍ୟ ଦେଉ ଦେଇ ଜିଲ୍ଲା ସଭାପତି ମନ୍ତ୍ରୀ ଅଶ୍ବିନୀ ପାତ୍ର ବାଲିଆପାଳ ମାଟି ଓ ବସ୍ତା ନିର୍ବାଚନମଣ୍ଡଳୀର ଝିଅ ସୁବାସିନୀ ଜେନା ମହୋଦୟା ଆଗାମୀ ନିର୍ବାଚନରେ ବସ୍ତା ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେବେ ବୋଲି କହିଥିଲେ। ସୁବାସିନୀଙ୍କୁ ବସ୍ତାରୁ ଦଳୀୟ ପ୍ରାର୍ଥୀ ଭାବେ ମନ୍ତ୍ରୀ ଶ୍ରୀ ପାତ୍ର ସଭାମଞ୍ଚରେ ଘୋଷଣା କରିବା ପରେ ବୈଠକରେ ଉପସ୍ଥିତ ଥିବା କର୍ମୀ ଓ ନେତାଙ୍କ ମଧ୍ୟରେ ନାନା ଚର୍ଚ୍ଚା ଆଲୋଚନା, ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Advertisment

ବିଧାୟକଙ୍କ ଅନୁପସ୍ଥିତି ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଦେବଙ୍କୁ ପଚରାଯିବାରୁ ବିଧାୟକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ବୈଠକରେ ଯୋଗ ଦେଇନଥିବା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ କାର୍ଯ୍ୟକ୍ରମକୁ ମତେ କେହି ଡାକିନଥିବା ଓ ମୋ ସ୍ୱାସ୍ଥ୍ୟ ସମସ୍ୟା ନେଇ ଯଦି ମନ୍ତ୍ରୀ କିଛି କହିଛନ୍ତି, ତାହା ଠିକ୍ ହୋଇଥିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ ଆହୁରି କହିଛନ୍ତି, ନିର୍ବାଚନ ସମୟ ଆସିଲେ ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ବ ଘୋଷଣା କରନ୍ତି। ନିକଟରେ ସେ ୫-ଟି ସଚିବଙ୍କୁ ମଧ୍ୟ ଭେଟିଥିଲେ। ହେଲେ ସଭାରେ କେମିତି ପ୍ରାର୍ଥୀ ଘୋଷଣା କରାଗଲା, ସେ ବିଷୟରେ କିଛି କହିପାରିବି ନାହିଁ। ତେବେ ବିଜୁ ଜନତା ଦଳରୁ ଯିଏ ଟିକେଟ୍‌ ପାଇବ, ତାକୁ ମୁଁ ସମର୍ଥନ କରିବି ବୋଲି କହିଛନ୍ତି ବିଧାୟକ ଶ୍ରୀ ସାହୁ।