ଭୁବନେଶ୍ବର : ଗତକାଲି ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଏସ୍ସିବି ମେଡିକାଲ କଲେଜରେ କୋଭିଡ୍ ପ୍ଲାଜ୍ମା ବ୍ୟାଙ୍କ ବିଧିବଦ୍ଧ ଭାବେ ଉଦଘାଟିତ ହେବା ପରେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଜଣେ ଗୁରୁତର କରୋନା ରୋଗୀଙ୍କ ପ୍ଲାଜମା ଥେରାପି ଶେଷ ହୋଇଥିବା ଜଣାଯାଇଛି। ଏଠାରେ ଜଣେ ୪୮ ବର୍ଷିୟ କରୋନା ଆକ୍ରାନ୍ତଙ୍କୁ ବି ପଜିଟିଭ୍ ପ୍ଲାଜମା ଦିଆଯାଇଥିବାର ସୂଚନା ମିଳିଛି।
ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ହେଉଛି ଦେଶର ତୃତୀୟ ରାଜ୍ୟ। ପ୍ଲାଜ୍ମା ବ୍ୟାଙ୍କକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜ୍ମା ଥେରାପି ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ଘୋଷଣା କରିଥିଲେ। ପ୍ରଥମ ଦିନରେ ସ୍ବେଚ୍ଛାକୃତ ଭାବେ ଚାରି ଜଣ ସେମାନଙ୍କ ପ୍ଲାଜ୍ମା ଦାନ କରିଥିଲେ।
ଓଡ଼ିଶାର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଲେ, ମୁଁ ଓ ମୋ ସରକାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ। ଆମର ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ।
ସୂଚନାଯୋଗ୍ୟ, ପ୍ଲାଜ୍ମା ଥେରାପି ପାଇଁ ଏସ୍ସିବି ମେଡିକାଲ ଏକ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଭୁବନେଶ୍ବରର ସମ୍ ଓ କିମ୍ସ୍ ହସ୍ପିଟାଲ୍ ଏବଂ କଟକର ଅଶ୍ବିନୀ ହସ୍ପିଟାଲ୍ ପ୍ଲାଜ୍ମା ଥେରାପି ଜରିଆରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବେ।