ବାହାନଗା ଟ୍ରେନ୍‌ ଟ୍ରାଜେଡି: ଟ୍ରାଏଲ୍‌ ରନ୍‌ ପରେ ହାତଯୋଡ଼ି ଈଶ୍ବରଙ୍କୁ ଧନ୍ୟବାଦ ଜଣାଇଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ୫୫ ଘଣ୍ଟା ବିତିଲାଣି। ରେଳଧାରଣା ପୁନରୁଦ୍ଧାର କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସାରୁଛି ରେଳ ବିଭାଗ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ରାତିଦିନ ଏକ କରି ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ମରାମତି କାମ ଚାଲିଥିବା ବେଳେ ଟ୍ରେନ୍‌ ଚଳାଇବା ଲାଗି ସମସ୍ତ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ତେବେ ପୁନରୁଦ୍ଧାର କାମକୁ ୩୮ ଘଣ୍ଟା ନପୂରୁଣୁ ରବିବାର ରାତି ୧୦ଟା ୩୫ ମିନିଟ୍‌ରେ ଏକ ମାଲବାହୀ ଟ୍ରେନ୍‌କୁ ଟ୍ରାଏଲ୍‌ ରନ୍‌ କରାଯାଇଛି। ଟ୍ରେନ୍‌ ଗଡ଼ିବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହାତଯୋଡ଼ି ଭଗବାନଙ୍କୁ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଥିଲା |


ଗତକାଲି ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଥିଲା ଯାତ୍ରୀବାହୀ ଟ୍ରେନ୍। ଏଣେ ଦୁର୍ଘଟଣାସ୍ଥଳରେ ଅପ ଓ ଡାଉନ୍ ଲାଇନ୍ ମରାମତି କାମ ସରିଥିବାରୁ ଏହି ବାଟ ଦେଇ ଯାଉଥିବା କେବଳ ଦୁଇଟି ଟ୍ରେନକୁ ବାଦ୍ ଦେଇ ବାକି ସବୁ ଟ୍ରେନ୍ ସ୍ବାଭାବିକ ଭାବେ ଚଳାଚଳ କରୁଛି। ଦୁଇଟି ଟ୍ରେନ୍ ବାତିଲ ହୋଇଛି। ଏହି ଦୁଇଟି ଟ୍ରେନ୍ ହେଲା ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍। ବାହାନଗା ରେଳ ଦୁର୍ଘଟଣା ପରେ ସେଠାରେ ମରାମତି କାମ ଚାଲୁଥିବାରୁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ରହିଛି।

ସମ୍ବନ୍ଧିତ ଖବର