ଦେଓଗାଁ: କେନ୍ଦ୍ର ସରକାରଙ୍କ ମନିଟରିଂ ଟିମ୍ ଦେଓଗାଁ ବ୍ଲକ୍ ଗସ୍ତ କରି ମନ୍ରେଗା ଖର୍ଚ୍ଚକୁ ନେଇ ତନାଘନା କରିଛି। ଏହି ଟିମ୍ର ଦୁଇ ସଦସ୍ୟ ମଙ୍ଗଳ ସିଂହ ଓ ଅଭିଷେକ ଯାଦବ ବ୍ଲକ୍ର ଦୁଇଟି ପଞ୍ଚାୟତକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ତ କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି।
ସୂଚନା ଅନୁସାରେ, ଉଭୟ ପ୍ରତିନିଧି ପ୍ରଥମେ ମକୁନ୍ଦପୁର ପଞ୍ଚାୟତକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମନ୍ରେଗାରେ କାମ କରି ୪ ମାସ ହେଲା କୋଡ଼ିଏ ହଜାର ଟଙ୍କାର ଶ୍ରମିକ ପାଉଣା ପାଇ ନାହାନ୍ତି ବୋଲି ମକୁନ୍ଦପୁର ଗାଁର ବାଳକ ବାଗ ଅଭିଯୋଗ କରିଥିଲେ। ସେହିପରି ଏହି ଗାଁର ସୁଭାଗିନୀ ବାଗ ଅଭିଯୋଗ କରିଥିଲେ, ଆକାଉଣ୍ଟ ଜରିଆରେ ବାର୍ଦ୍ଧକ୍ୟଭତ୍ତା ଦିଆଯାଉଥିବାରୁ ବହୁତ ହଇରାଣ ହେବାକୁ ପଡ଼ୁଛି। ୫ ଶହ ଟଙ୍କା ପାଇଁ ଶହେ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ନଗଦ ଦେବାକୁ ସେ ଦାବି କରିଥିଲେ। ମକୁନ୍ଦପୁର ପଞ୍ଚାୟତରେ ଅନେକ ବଡ଼ବଡ଼ିଆ ଲୋକ ଆବାସ ଘର ପାଉଥିବା ବେଳେ ଗରିବ ଲୋକ ବାଦ୍ ପଡ଼ୁଛନ୍ତି। ତେଣୁ ଧନୀ ଲୋକଙ୍କୁ ବାଦ୍ ଦେଇ ଗରିବ ଲୋକଙ୍କୁ ଘର ଯୋଗାଇଦେବାକୁ ପୁରନ୍ଦର ନାଏକ ଦାବି କରିଥିଲେ।
ସେଭଳି ସାରସମାଲ ପାଞ୍ଚାୟତରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚକୁ ନେଇ ସମୀକ୍ଷା କରିଥିଲେ ଏହି ଦୁଇ ପ୍ରତିନିଧି। ପଞ୍ଚାୟତବାସୀ ଗୁହାଳ ପ୍ରଦାନରେ ଅନିୟମିତତା, ମାଟି କାମ କଲେ ଠିକ୍ ଭାବରେ ପାରିଶ୍ରମିକ ମିଳୁନି, ସାମାଜିକ ସୁରକ୍ଷା ଯୋଜନାରେ ଏକାଉଣ୍ଟ ଯୋଗେ ଦେଉଥିବା ଭତ୍ତା ଟଙ୍କା ଠିକ୍ ଭାବେ ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ। ମକୁନ୍ଦପୁର ପଞ୍ଚାୟତର ମକୁନ୍ଦପୁର ବରକଟା, ସ୍ତରେଞ୍ଜ, ଭୀମ ଡୁଙ୍ଗୁରି ନାଳା, ଭୀମଡୁଙ୍ଗୁରି ହଳଧର କୁଅଁରଙ୍କ ଗୁହାଳ ଓ ସାରସମାଲ ପଞ୍ଚାୟତର ମନ୍ରେଗା ଯୋଜନାରେ ଚୋରମରାରେ ହେଇଥିବା ମାଟିକାମ ସହ ନନ୍ଦ ମୁଣ୍ଡା, ମଜୁରଖାଇ ନାଳା, ବରମୁଣ୍ଡାରେ କିଭଳି କାମ ହୋଇଛି ତାକୁ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ପ୍ରତିନିଧି। ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଡିଓ ସୁରେନ୍ଦ୍ର ମେହେର, ଏବିଡିଓ ପୁଷ୍ପାଞ୍ଜଳି ନାଏକ, ଜିପିଇଓ ବୀଣା ପଧାନ, ଓଏଲ୍ଏମ୍ର ପ୍ରଦୀପ ଛତ୍ରିଆ, ଏପିଇଓ ସୁଧାଂଶୁ ମେହେରଙ୍କ ସହ ସରପଞ୍ଚ ଜାନକୀ ସାହୁ, ଗୋପାଳ ବାଗ, ସମିତି ସଭ୍ୟ ଅଭିମନ୍ୟୁ ମାଝୀ ସହଯୋଗ କରିଥିଲେ।