ପରିଣତ ବୟସରେ ମଧ୍ୟ ମିଳୁନି ଭତ୍ତା

ରାୟଗଡ଼ା/ ମକୁନ୍ଦପୁର,: ବୃଦ୍ଧ ବୃଦ୍ଧାଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରହିଛି। ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବ୍ଲକସ୍ତର ପର୍ଯ୍ୟନ୍ତ ଯୋଗସୁତ୍ର ରକ୍ଷା କରିବା ପାଇଁ ସରକାରୀ କଳର ବ୍ୟବସ୍ଥା ରହିଛି। ୱାର୍ଡ ପର୍ଯ୍ୟନ୍ତ ଲୋକ ପ୍ରତିନିଧି ମଧ୍ୟ ରହିଛନ୍ତି। ଏହାସତ୍ୱେ ଅନେକ ବୃଦ୍ଧ ବୃଦ୍ଧା ପରିଣତ ବୟସରେ ଭତ୍ତା ପାଉନଥିବା ବିଡ଼ମ୍ବନାର ବିଷୟ ହୋଇଛି। ସୂଚନା ଅନୁସାରେ, କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଦେଇ ଯାଇଥିବା ଜାତୀୟ ରାଜପଥ ରାସ୍ତାପାର୍ଶରେ ଥିବା ହାତୀଖମ୍ବା କୋଲେନୀର ଦୁଇ ଜଣ ବୃଦ୍ଧାଙ୍କୁ ଭତ୍ତା ମିଳୁନଥିବା ଜଣାପଡିଛି। ସେମାନଙ୍କ ଆଖିକୁ ଭଲଭାବେ ଦେଖାଯାଉନି। ପାଣି ଆଣି ରୋଷେଇ କରି ଖାଇବାକୁ ବଳ ନାହିଁ। ପରିଶ୍ରମ କରି ବଞ୍ଚିବାକୁ  ବୟସ ଚାଲିଯାଇଛି।

ତେଣୁ ବଞ୍ଚିବା ପାଇଁ ଭତ୍ତା ଯୋଗାଇ ଦେବାକୁ ପଞ୍ଚାୟତ କାର୍ଯ୍ୟାଳୟରେ ଗୁହାରି କରି ନୟାନ୍ତ ହୋଇଗଲେଣି। ହାତୀଖମ୍ବା କୋଲେନୀର ନିମାଲ ଶାନ୍ତିମା(୮୨)ଙ୍କୁ ବାର୍ଦ୍ଧକ୍ୟ କିମ୍ବା ବିଧବା ଭତ୍ତା ମିଳୁନାହିଁ। ପ୍ରାୟ ୨୫ବର୍ଷ ପୂର୍ବେ ସ୍ୱାମୀ ଧନ ସିଂହ ନିମାଇଙ୍କ ପରଲୋକ ହେବା ପରେ ଅନେକ ଥର ଭତ୍ତା ପାଇଁ ଆବେଦନ କରି ନୟାନ୍ତ ହୋଇଗଲେ। ତଥାପି ଭତ୍ତା ମିଳିଲା ନାହିଁ। ସେହିଭଳି ବନ୍ଧାଗୁଡ଼ା ଗ୍ରାମର ପାଲାଇ ପାତିକା(୮୩) ଏବଂ କୁରୁଂଜି କୋଣ୍ଡାଗରୀ(୮୧)ଙ୍କୁ ମଧ୍ୟ ଭତ୍ତା ମିଳିନାହିଁ। ବ୍ଲକ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି। ସୂଚନାଯୋଗ୍ୟଯେ ବହୁ ଦିନ ହେଲା ଅଞ୍ଚଳରେ ସର୍ଭେ ହୋଇନଥିବା ବେଳେ ସମୀକ୍ଷା ମଧ୍ୟ କରାଯାଇପାରିନାହିଁ। କେବଳ ଶାନ୍ତି ମା ନୁହଁ ତାଙ୍କ ଭଳି ଅନେକ ବୃଦ୍ଧ, ବୃଦ୍ଧା ଓ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଯଦି କ୍ଷେତ୍ର କର୍ମଚାରୀ ମାନଙ୍କ ଆନ୍ତରିକତା ରହିଲେ ଉକ୍ତ ସମସ୍ୟା ସହଜରେ ସମାଧାନ ହୋଇପାରନ୍ତା ବୋଲି  ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର