ଦିବ୍ୟାଙ୍ଗ ଓ ଚଳତ୍‌ଅକ୍ଷମ ଭକ୍ତଙ୍କ ଲାଗି ହୁଇଲ୍‌ ଚେୟାର ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ସୋମବାର ଓଡ଼ିଶା ହାଇକୋର୍ଟ ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି ସମ୍ବନ୍ଧିତ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ଯଥାଶୀଘ୍ର ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲ ଚେୟାର ବନ୍ଦୋବସ୍ତ କରିବା ପାଇଁ ମନ୍ଦିର ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳସ୍ୱରୂପ ଏଣିକି ଦିବ୍ୟାଙ୍ଗମାନେ ସହଜ ଓ ସୁବିଧାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ପାରିବେ।

ଓଡ଼ିଶା ହାଇକୋର୍ଟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜେଟିଏ)ଙ୍କୁ ମନ୍ଦିରର ଉତ୍ତର ଦ୍ୱାରରେ ର‍୍ୟାମ୍ପ (ଗଡାଣିଆ ଚଟାଣ)କୁ ଯଥାଶୀଘ୍ର ଠିକ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ କାମ ଜାରି ରହିଛି। ମାସକ ମଧ୍ୟରେ ଏହା ଶେଷ ହୋଇଯିବାର ଯୋଜନା ରହିଛି। ଫଳରେ ମନ୍ଦିର ଭିତରକୁ ସୁବିଧାରେ ଯାଇ ଦିବ୍ୟାଙ୍ଗ, ଅନ୍ତସତ୍ତ୍ୱା ମହିଳା, ଦୁର୍ବଳ ବ୍ୟକ୍ତି, ବୃଦ୍ଧ/ବୃଦ୍ଧା ଓ ଅସୁସ୍ଥ ଥିବା ବ୍ୟକ୍ତି ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ।

ଏତଦ୍‌ବ୍ୟତୀତ ଆମିକ୍ୟସ କ୍ୟୁରି ଏନ୍‌.କେ ମହାନ୍ତି ଫନି ସମ୍ପର୍କିତ କ୍ଷୟକ୍ଷତିର ମରାମତି ଶେଷ ହୋଇଥିବା ନେଇ ହାଇକୋର୍ଟଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ଉଲ୍ଲେଖ ରହିଛି କି, ସମସ୍ତ ମରାମତି କାମ ଶେଷ ହୋଇଛି। ମନ୍ଦିର ‘ଦଧିନୌତି’ର କୌଣସି କ୍ଷତି ହୋଇ ନାହିଁ। ଏହି ମାମଲାର ଆଗାମୀ ଶୁଣାଣି ସେପ୍ଟେମ୍ବର ୧୬ରେ ହେବ।

ସମ୍ବନ୍ଧିତ ଖବର