୨୧ ବର୍ଷ ବୟସରେ ୧୨୫ କୋଟିର ମାଲିକ

୮୫ ଜଣଙ୍କୁ ଦେଇଛନ୍ତି କର୍ମନିଯୁକ୍ତି

ବାଲେଶ୍ବର, (କବିତା ପାତ୍ର): ପାଠ ପଢ଼ିବା ବୟସରେ ଅନ୍ୟକୁ ରୋଜଗାର ଦେଉଛନ୍ତି। ତାଙ୍କ ଅଧୀନରେ ପ୍ରତିଷ୍ଠିତ ଇଞ୍ଜିନିୟର, ଏମ୍‌ବିଏ, ବଡ଼ ବଡ଼ କମ୍ପାନିର ମ୍ୟାନେଜର, ଅଫିସର ଓ କର୍ମଚାରୀ ଚାକିରି କରିଛନ୍ତି। ମାତ୍ର ୭୦ ହଜାର ମୂଳପୁଞ୍ଜିରୁ ଆରମ୍ଭ କରିଥିବା ତାଙ୍କ ଷ୍ଟାର୍ଟଅପ୍ (ଉଦ୍ୟୋଗ)ର ବ୍ୟାବସାୟିକ କାରବାର ଆଜି ୧୨୫ କୋଟିରେ ପହଞ୍ଚିଛି। ତାଙ୍କ କମ୍ପାନିରେ ଯେଉଁ ୮୫ ଜଣ କାମ କରୁଛନ୍ତି। କିଛି କର୍ମଚାରୀ ମାସିକ ୨୫ ଲକ୍ଷ ଟଙ୍କାର ମୋଟା ଅଙ୍କର ବେତନ ମଧ୍ୟ ପାଉଛନ୍ତି। ଟାଟା ଡୋକୋମୋର ପୂର୍ବତନ ସିଇଓ ରିତେଶ ଘୋଷାଲ ସେହି କଂପାନିରେ ଚିଫ୍‌ ବିଜ୍‌ନେସ୍‌ ଅଫିସର ଭାବେ କାମ କରୁଛନ୍ତି।। ଜୋମାଟୋର ପଙ୍କଜ ଚଢା, ସୌରଭ ଅଗ୍ରୱାଲ, ପିରୋଜସାହା ସରକାରୀ, ବୈଷ୍ଣବ ସେଠୀଙ୍କ ଭଳି ଚର୍ଚ୍ଚିତ ମୁହଁ ମଧ୍ୟ ତାଙ୍କ କମ୍ପାନିରେ ସାମିଲ ହୋଇଛନ୍ତି। ସେହି ସଂସ୍ଥାକୁ ସ୍ଥାପନ କରିଛନ୍ତି ଓଡ଼ିଆ ପୁଅ ପ୍ରଭାସ ଚନ୍ଦ୍ର ଗିରି (୨୧)।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ପଶ୍ଚିମବାଡ଼ ଝାଡ଼ପିମ୍ପଳ ଗ୍ରାମର ଯତୀନ୍ଦ୍ରନାଥ ଗିରି ଓ ମୀନତି ଗିରିଙ୍କ ସାନପୁଅ ହେଉଛନ୍ତି ପ୍ରଭାସ। ଜଣେ ମେଧାବୀ ଛାତ୍ର ଭାବେ ପ୍ରଭାସ ୨୦୧୬ ମସିହାରେ ପଶ୍ଚିମବାଡ଼ ହାଇସ୍କୁଲରୁ ମାଟ୍ରିକ୍‌ ପରେ ନିଷ୍ଟ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ପାଠପଢ଼ିଥିଲେ। ଆଇଆଇଟିରେ ପାଠପଢ଼ିବା ଲାଗି ମନ ସ୍ଥିର କରି ସେ ଭୁବନେଶ୍ବରରେ କୋଚିଂ ନେଉଥିଲେ। ହଠାତ୍‌ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା ଓ ସେ ଉଦ୍ୟୋଗୀ ହେବାପାଇଁ ୨୦୨୧ରେ ଦିଲ୍ଲୀ ଯାଇଥିଲେ। ସେ ଗୁରଗାଓଁଠାରେ ‘ସଫ୍‌ଟେଲ୍‌ (ସପିଙ୍ଗ୍‌ ଫର୍‌ ରିଟେଲର) ନାମରେ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ଏହା ଏକ ଅନ୍‌ଲାଇନ୍‌ ମାର୍କେଟିଂ ପ୍ଲାଟ୍‌ଫର୍ମ ଯେଉଁଥିରେ ରିଟେଲରଙ୍କ ମାଧ୍ୟମରେ ଗ୍ରାହକଙ୍କ ପାଖରେ ବିଭିନ୍ନ ସାମଗ୍ରୀ ପହଞ୍ଚିଥାଏ। ପ୍ରଭାସଙ୍କ ଏହି ଉଦ୍ୟୋଗରେ ୬୫ ଜଣ ମାନୁଫାକ୍‌ଚର (ନିର୍ମାତା)ଙ୍କ ସହିତ ୨୦ ହଜାର ରିଟେଲର ଭାରତ ଓ ଭାରତ ବାହାରେ ଯୋଡ଼ି ହୋଇ ରହିଛନ୍ତି। ଗୋଟିଏ ବର୍ଷ ଭିତରେ କଂପାନିର କାରବାର ୧୨୫ କୋଟିରେ ପହଞ୍ଚାଇଥିବା ବେଳେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ତାହାକୁ କୁ ୫ ଶହ କୋଟିରେ ପହଞ୍ଚାଇବାକୁ ପ୍ରଭାସ ଲକ୍ଷ୍ୟ ରଖିଛନ୍ତି।

ଏୟାରଟେଲ୍‌ର ମୁଖ୍ୟ ସୁନିଲ ମିତ୍ତଲଙ୍କୁ ନିଜର ଆଦର୍ଶ ମାନୁଥିବା ପ୍ରଭାବ କହିଛନ୍ତି ଯେ ବାପା, ମାଙ୍କର ଇଛା ଥିଲା ମୁଁ ଯେମିତି ଡାକ୍ତର ହୁଏ। କିନ୍ତୁ ମୋର ଇଛା ଥିଲା ଇଞ୍ଜିନିୟର।  ପରବର୍ତ୍ତୀ ସମୟରେ ଉଦ୍ୟୋଗୀ ହେବାକୁ ଚାହିଁଲି। ଦିଲ୍ଲୀରେ ପଢ଼ିବି କହି ଘରୁ ୭୦ ହଜାର ଟଙ୍କା ନେଇ ଆସିଥିଲି। ଷ୍ଟାର୍ଟଅପ୍ ପାଇଁ ଘରେ ବହୁତଥର ମିଛ କହି ଦିଲ୍ଲୀ ଆସିଛି। ସୁନୀଲ ମିତ୍ତଲ ଓ ହିମାଂଶୁ ପେରିୱାଲ ମୋତେ ବହୁତ ସାହାଯ୍ୟ କରିଛନ୍ତି। ଆଗାମୀ ଦିନରେ ମୋ ଉଦ୍ୟୋଗକୁ ବହୁରାଷ୍ଟ୍ରୀୟ କମ୍ପାନିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ରୋଜଗାର ଦେବାର ମାନସିକତା ସମସ୍ତଙ୍କ ଭିତରେ ରହିବା ଦରକାର ବୋଲି କହିଛନ୍ତି ପ୍ରଭାସ।

ସମ୍ବନ୍ଧିତ ଖବର