ରାୟଗଡ଼ା: ଜିଲ୍ଲାର ବିକାଶ ଚାହୁଁଛନ୍ତି ସାମ୍ବାଦିକ। ଲୋକଙ୍କ ସମସ୍ୟା, ଦୁର୍ଗମ ଇଲାକାର ସ୍ଥିତିକୁ ପ୍ରଶାସନର ନଜରକୁ ଆଣିବାରେ ଗୁରୁ ଦାୟିତ୍ବ ତୁଲାଉଛନ୍ତି। ବନ୍ୟା, ବାତ୍ୟା, ଦୁର୍ଘଟଣା ଭଳି ଜରୁରିକାଳୀନ ସ୍ଥିତିରେ ସାମ୍ବାଦିକଙ୍କ ନିକଟରୁ ପ୍ରଥମେ ତଥ୍ୟ ସଂଗ୍ରହ କରି ପୁଲିସ୍, ପ୍ରଶାସନ ପଦକ୍ଷେପ ନେଉଛି। କିନ୍ତୁ ଜିଲ୍ଲାର ବିକାଶ ନିମନ୍ତେ ଉର୍ଦ୍ଧିଷ୍ଟ୍ ଜିଲ୍ଲା ପରିଷଦ ବୈଠକରୁ ସାମ୍ବାଦିକଙ୍କୁ ଉଠି ଚାଲିଯିବାକୁ ଜିଲ୍ଲାପାଳ ଦେଇଥିବା ମନ୍ତବ୍ୟକୁ କାର୍ଯ୍ୟରତ ସାମ୍ବାଦିକ ଘୋର ନିନ୍ଦା କରିଛନ୍ତି। ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ ଜିଲ୍ଲାପାଳ ସାମ୍ବାଦିକଙ୍କ ପ୍ରତି ଦେଇଥିବା କଟୁ ମନ୍ତବ୍ୟକୁ ଫେରାଇ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ରାୟଗଡ଼ା ଜିଲ୍ଲା ପରିଷଦର ୭୫ତମ ବୈଠକ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବସିଥିଲା। ଜିଲ୍ଲା ପରିଷଦ ସଭାପତି ସରସ୍ବତୀ ମାଝି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ସହ ସମସ୍ତ ନିର୍ବାଚିତ ପ୍ରତନିଧି, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସ୍ବାଗତ ଭାଷଣ ଓ ନବ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଧିତ କରିବା ପରେ ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କୁ ବାହାରକୁ ଚାଲିଯିବାକୁ କହିଥିଲେ ଜିଲ୍ଲାପାଳ। ବିଭାଗୀୟ ଆଲୋଚନା ଥିବାରୁ ପରବର୍ତ୍ତୀ ସମୟରେ ସୂଚନା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବିକାଶ ସଂପର୍କିତ ବୈଠକରେ ସାମ୍ବାଦିକଙ୍କ ଉପସ୍ଥିତି ଆବଶ୍ୟକ ନାହିଁ କି ବୋଲି ସାମ୍ବାଦିକ ପ୍ରଶ୍ନ କରିବା ପରେ ଜିଲ୍ଲାପାଳ ଆପଣଙ୍କ ବିବେକ ଯଦି ଚାହୁଁଛି ତାହାହେଲେ ବସନ୍ତୁ ବୋଲି କହିଥିଲେ।
ଜିଲ୍ଲାପାଳଙ୍କ ଏପରି ମନ୍ତବ୍ୟକୁ ସାମ୍ବାଦିକମାନେ ବିରୋଧ କରି ବୈଠକ ପରିତ୍ୟାଗ କରି ବାହାରେ ଧାରଣାରେ ବସିଥିଲେ। ନାରାବାଜି ପରେ ସାଂସଦ ଏନ୍. ଭାସ୍କର ରାଓ, ସପ୍ତଗିରି ଉଲାକା, ଜିଲ୍ଲା ପରିଷଦ ସଭାପତି ସରସ୍ବତୀ ମାଝି, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ବାହାରକୁ ଆସି ସାମ୍ବାଦିକଙ୍କୁ ବୁଝାଶୁଝା କରିଥିଲେ। ଜିଲ୍ଲାପାଳ ଆଲୋଚନାକୁ ଆସି ଦେଇଥିବା କଟୁ ମନ୍ତବ୍ୟ ଫେରାଇ ନେବାକୁ ସାମ୍ବାଦିକ ଦାବି କରିଥିଲେ। କିନ୍ତୁ ଜିଲ୍ଲାପାଳ ଆଲୋଚନାକୁ ନ ଆସି ବୈଠକରେ ହିଁ ବସି ରହିଥିଲେ। କିଛି ସମୟ ପରେ ପୁଣି ସାଂସଦ-ବିଧାୟକ ଓ ଜିଲ୍ଲା ପରିଷଦ ସଭାପତିଙ୍କ ନିବେଦନ ପରେ ସାମ୍ବାଦିକମାନେ ଆନ୍ଦୋଳନରୁ ଓହରିବା ସହ ପ୍ରଶାସନର କୌଣସି କାର୍ଯ୍ୟକ୍ରମରେ ସହଯୋଗ ନ କରିବାକୁ ନିଷ୍ପତ୍ତି ନେଇଥିଲେ।