ଶେଷବେଳକୁ ସୌନ୍ଦର୍ଯ୍ୟ ଚିନ୍ତା, ସରିବ ତ ୨୪.୪୬ କୋଟି ଟଙ୍କା କାମ ?

ହକି ଛକ ସୌନ୍ଦର୍ଯ୍ୟକରଣ ଓ କନକମଞ୍ଜରି ବିମାନ ବନ୍ଦର ରାସ୍ତା ସମ୍ପ୍ରସାରଣ

ରାଉରକେଲା: ବର୍ଷ ବର୍ଷ ଧରି କଚ୍ଛପ ଗତିରେ ଚାଲୁଥିବା ସ୍ମାର୍ଟସିଟି ପ୍ରକଳ୍ପଗୁଡ଼ିକ ଶେଷ ବେଳକୁ ଜୋର ଧରିଛି। ଆସନ୍ତା ଡିସେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଅର୍ଥାତ୍‌ ବିଶ୍ବ ପୁରୁଷ ହକି ପୂର୍ବରୁ  ସହରରେ ଚାଲିଥିବା ସମସ୍ତ କାମ ସରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏଥିପାଇଁ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଘନ ଘନ ରାଉରକେଲା ଗସ୍ତରେ ଆସୁଛନ୍ତି। ଚାଲିଥିବା କାମଗୁଡ଼ିକ ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରୁଛନ୍ତି। କାରଣ ଆସନ୍ତା ୨୦୨୩  ଜାନୁଆରି ୧୩ରେ ନିର୍ମାଣଧୀନ ହକି ଷ୍ଟାଡିୟମରେ ହେବାକୁ ଯାଉଛି ପୁରୁଷ ବିଶ୍ନ କପ୍‌ ହକିର ପ୍ରଥମ ମ୍ୟାଚ୍‌। ସମୟ ଯେତିକି ପାଖେଇ ଆସୁଛି, ଚାଲିଥିବା କାମଗୁଡ଼ିକର ବେଗ ସେତିକି ତୀବ୍ର ହେଉଛି।

ଦିନ ରାତି କାମ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକା ସଂସ୍ଥାଗୁଡ଼ିକୁ ତାଗିଦ୍‌ କରାଯାଇଛି। ଶେଷବେଳକୁ ସହରର ବିଭିନ୍ନ ସ୍ଥାନରେ ତରବରିଆ ଭାବେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାନପୋଷ ହକି ଛକ ଓ  ଛେଣ୍ଡ କଲୋନି କନକ ମଞ୍ଜରି ଛକରୁ  ରାଉରକେଲା ବିମାନ ବନ୍ଦର ରାସ୍ତା ସମ୍ପ୍ରସାରଣକୁ ଉଦାହରଣ ଭାବେ ନିଆଯାଇପାରେ। ବିମାନ ବନ୍ଦର ରାସ୍ତା ସମ୍ପ୍ରସାରଣ କାମ ପାଇଁ ମୋଟ ୯ କୋଟି ୯୮ ଲକ୍ଷଟଙ୍କା ମଞ୍ଜୁର ହୋଇଛି। ପୂର୍ତ୍ତବିଭାଗ ଦ୍ବାରା କରାଯାଉଥିବା ଏହି କାମ ସହରର ଜଣେ ଜଣାଶୁଣା ଠିକା ସଂସ୍ଥା ପାଇଥିଲେ। ଗତ ୨୦୨୧ ନଭେମ୍ବର ୨୬ରୁ କାମ  ଆରମ୍ଭ ହୋଇଥିଲା। ଆସନ୍ତକାଲି ( ୩୧.୧୦.୨୦୨୨) ସୁଦ୍ଧା ସରିବାକୁ ଥିଲା। ଠିକା ସଂସ୍ଥା ବର୍ଷକ ମଧ୍ୟରେ ମାତ୍ର ୩୦% କାମ ସାରିବାକୁ ସକ୍ଷମ ହୋଇଥିଲା। ଅବଶିଷ୍ଟ ୭୦% କାମ ମାତ୍ର ଦେଢ଼ ମାସ ସାରିବାକୁ ଠିକା ସଂସ୍ଥା ଅକ୍ଷମତା ପ୍ରକାଶ କରିବାରୁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଚିନ୍ତା ବଢ଼ିଥିଲା। ସମ୍ପୃ୍କ୍ତ କାମକୁ ଏବେ ୩ ଠିକା ସଂସ୍ଥାକୁ ବାଣ୍ଟି ଦିଆଯାଇଛି। ପାଖାପାଖି ଦେଢ଼ ମାସ ମଧ୍ୟ ସାରିବାକୁ ଦାଗିଦ କରାଯାଇଛି।

ଯେଉଁ କାମକୁ ପୂର୍ବରୁ ପାଇଥିବା ଠିକାସଂସ୍ଥା ବର୍ଷକ ମଧ୍ୟରେ ମାତ୍ର ୩୦% ସାରିବାକୁ ସକ୍ଷମ ହେଲା, ଏବେ ୭୦% କାମ ତିନି ଠିକା ସଂସ୍ଥା କେମିତି ସାରିବେ, ତାକୁ ନେଇ ସନ୍ଦେହ ଉପୁଜିଛି। ଯେହେତୁ ବିଭାଗୀୟ ଅଧିକାରୀଙ୍କ ତାଗିଦ୍‌ ରହିଛି, ତିନି ଠିକା ସଂସ୍ଥା ଯେନତେନ ପ୍ରକାରେ କାମଟିକୁ ସାରିଦେବେ ତ ନିଶ୍ଚୟ।  ମାତ୍ର ତରବରିଆ ଭାବେ ହେଉଥିବା ଏହି ରାସ୍ତା ସମ୍ପ୍ରସାରଣ କାମର ମାନ ଓ ଗୁଣବତ୍ତା ଠିକ୍‌ ରହିବ ତ ? ସ୍ବଳ୍ପ ସମୟ ମଧ୍ୟରେ କାମଗୁଡ଼ିକୁ ସାରି ପାରିବେ ତ? ପୂର୍ବରୁ ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ସମ୍ପ୍ରସାରଣ କାମକୁ କରା ନଯାଇ, କାହିଁକି ଶେଷ ମୂହୂର୍ତ୍ତରେ ଏଭଳି ନିଷ୍ପତ୍ତି ନିଆଗଲା ? ଏଥିପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ? ଏମିତି ଅନେକ ପ୍ରଶ୍ନ ସହରବାସୀଙ୍କ ମନରେ ଉଠିବା ସ୍ବାଭାବିକ। ଅନୁରୂପ ସ୍ଥିତି ଉପୁଜିଛି ସହରର ବାଇପାସ ରୋଡ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ହକି ଛକ। ଏଠି ମଧ୍ୟ ଶେଷ ସମୟରେ କାମ ହେଉଛି।

ସୌନ୍ଦର୍ଯ୍ୟକରଣ ପାଇଁ  ପ୍ରଥମ ପର୍ଯ୍ୟାୟରେ ୮ କ‌ୋଟି ୧୫ ଲକ୍ଷ ଓ ଦ୍ବିତୀୟ ପର୍ଯ୍ୟାୟରେ ୬ କୋଟି ୩୩ ଲକ୍ଷ ଏମିତି ‌ମୋଟ ୧୪ କୋଟି ୪୮ ଟଙ୍କା ମଞ୍ଜୁର ହୋଇଛି। ‘ଇକୋଲାବ୍‌ ଡିଜାଇନ୍‌ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ’କୁ କାମ ହସ୍ତାନ୍ତର କରାଯାଇଛି। ଗତ ୨୦୨୨ ଫେବ୍ରୁଆରି ୨୪ରୁ କାମ ଆରମ୍ଭ ହୋଇଛି। ଆସନ୍ତା ୨୦୨୩ ଫେବ୍ରୁଆରି ୨୩ ସୁଦ୍ଧା ସରିବାକୁ ସମୟ ଧାର୍ଯ୍ୟ ହୋଇଛି। ୮ ମାସ ମଧ୍ୟରେ ପାଖାପାଖି ୫୦% କାମ ସରିଛି। ଯେମିତି କାମ ଚାଲିଛି ଅବଶିଷ୍ଟ ୫୦ % କାମ ଆସନ୍ତା ୨୦୨୩ ଫେବ୍ରୁଆରି ସୁଦ୍ଧା ସରିବ କି ନାହିଁ ସନ୍ଦେହ। ଯେହେତୁ ଆସନ୍ତା ୨୦୨୩ ଜାନୁଆରି ୧୩ରେ ହକି ମ୍ୟାଚ୍‌ ଆରମ୍ଭ ‌ହେଉଛି, ଏହା ପୂର୍ବରୁ ସାରିବାକୁ ଠିକାସଂସ୍ଥାକୁ ଦାଗିଦ୍‌ କରାଯାଇଛି। ଏଠି ମଧ୍ୟ ବିମାନବନ୍ଦର ରାସ୍ତା ସମ୍ପ୍ରସାରଣ କାମ ପରି ସମସ୍ୟା ସୃଷ୍ଟି ହେବାର ଢ଼େର ସମ୍ଭାବନା ରହିଛି। ସେପଟେ ହକି ଛକରେ ରାସ୍ତା କାମ ଚାଲିଥିବାରୁ ଅଧିକାଂଶ ସମୟରେ ଘଣ୍ଟା ଘଣ୍ଟା ରାସ୍ତା ଜାମ ରହୁଛି। ଧୂଳି ଧୂଆଁରେ ଚତୁଃପାର୍ଶ୍ବ ପୋତିପଡୁଛି। ପୁରୁଣା ବ୍ରାହ୍ମଣୀ ପୋଲରେ ଯାତାୟତ ବନ୍ଦ ହେବା ପରେ ଏହି ଛକ ସହରର ପ୍ରମୁଖ ପ୍ରବେଶ ପଥ ହୋଇଛି। ଦୈନନ୍ଦିନ ହଜାର ହଜାର ଲୋକ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପାର୍ଶ୍ବ ରାସ୍ତା ଯାତାୟତ ବନ୍ଦ ଥିବାରୁ ସମସ୍ୟା ଆହୁରି ଜଟିଳ ହେଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସହରର ବିକାଶମୂଳକ କାମ  ହେବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସହରବାସୀଙ୍କ ଯାତାୟତରେ ବାଧା ସୃଷ୍ଟି ନ ହେଲା ପରି କାମ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର